ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରୁଫ୍-ରିଡିଂ ପାଠ୍ୟକ୍ରମ ପ୍ରଚଳନ ଦାବି କଲା ନିହାରିକା ଦାସ ସ୍ମୃତି ନ୍ୟାସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ବର୍ଷ ଧରି ଶ୍ରେଷ୍ଠ ପ୍ରୁଫ୍-ରିଡରମାନଙ୍କୁ ସମ୍ବର୍ଦ୍ଧିତ କରି ଆସୁଥିବା ଅଧ୍ୟାପିକା ନିହାରିକା ଦାସ ସ୍ମୃତି ନ୍ୟାସ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ପ୍ରୁଫ୍-ରିଡିଂ ସାର୍ଟିଫିକେଟ୍ ପାଠ୍ୟକ୍ରମ ପ୍ରଚଳନ ପାଇଁ ଦାବି କରିଛି। ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଆଜି ଏକ ବିବୃତିରେ କହିଛନ୍ତି ଯେ, ପ୍ରୁଫ୍-ରିଡିଂ ପୁସ୍ତକ ପ୍ରକାଶନ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଂଶ। ବିକଶିତ ଦେଶଗୁଡ଼ିକ ଏହି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଆମେ ଏହାକୁ ଅବହେଳା କରୁଥିବାରୁ ପ୍ରକାଶିତ ପୁସ୍ତକଗୁଡ଼ିକରେ ବିଭିନ୍ନ ତ୍ରୁଟି ଦେଖାଦେଉଛି। ସେ ଅଭିଯୋଗ କରିଛନ୍ତି ଯେ, ନିକଟରେ ଏସ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ପାଠ୍ୟପୁସ୍ତକଗୁଡ଼ିକରେ ପ୍ରୁଫ୍-ରିଡିଂ କରାଯାଇନଥିବା ପରି ମନେହେଉଛି ଏବଂ ସେଥିରେ ଅସଂଖ୍ୟ ତ୍ରୁଟି ରହିଛି। ଓଡ଼ିଆ ଭାଷାରେ ଦକ୍ଷ ପ୍ରୁଫ୍-ରିଡରଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରି ଶ୍ରୀ ମହାନ୍ତ କହିଛନ୍ତି ଯେ, ଏହି କ୍ଷେତ୍ରରେ ଔପଚାରିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରୁଫ୍-ରିଡିଂକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ, ପ୍ରକାଶନ କ୍ଷେତ୍ରରେ ଦକ୍ଷ ଜନଶକ୍ତି ସୃଷ୍ଟି ପାଇଁ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୀଘ୍ର ଓଡ଼ିଆ ପ୍ରୁଫ୍-ରିଡିଂ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରାଯିବା ଉଚିତ୍। ଏଭଳି ପାଠ୍ୟକ୍ରମ ଭାଷାଗତ ଶୁଦ୍ଧତା ରକ୍ଷା, ପ୍ରକାଶନର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଓଡ଼ିଆ ଭାଷା ପାଇଁ ଏକ ନୂତନ ପିଢ଼ିର ଦକ୍ଷ ପ୍ରୁଫ୍-ରିଡର ସୃଷ୍ଟିରେ ସହାୟକ ହେବ ବୋଲି ଶ୍ରୀ ମହାନ୍ତ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.