ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ୍ ପ୍ରକଳ୍ପ ଅଧୀନରେ ବାଲେଶ୍ୱର ରେଳ ଷ୍ଟେସନ ୟାର୍ଡର ରିମଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ଜୁଲାଇ ୨୯ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୨୦ ଦିନ ଧରି ନନ୍-ଇଣ୍ଟରଲକିଂ କାମ କରାଯିବ। ଏହା ଫଳରେ ଖଡ଼ଗପୁର ଡିଭିଜନ ଅଧୀନରେ ଚଳାଚଳ କରୁଥିବା ଅନେକ ଯାତ୍ରୀବାହୀ ଓ ଦୂରଗାମୀ ଟ୍ରେନ୍ର ସେବା ପ୍ରଭାବିତ ହେବ ବୋଲି ଦକ୍ଷିଣ-ପୂର୍ବ ରେଳବାଇ ସୂଚନା ଦେଇଛି। ରେଳବାଇ ପକ୍ଷରୁ ପ୍ରକାଶିତ ବିବରଣୀ ଅନୁଯାୟୀ, ଜୁଲାଇ ୨୯ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଖଡ଼ଗପୁର-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ବାଲେଶ୍ୱର-ଭୁବନେଶ୍ୱର ଓ ବାଲେଶ୍ୱର-ଗୋପୀନାଥପୁର ରୁଟର ମୋଟ ୬ଟି ମେମୁ ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ୍ ରହିବ। ଏଥିସହ ଖଡ଼ଗପୁର-ବାଲେଶ୍ୱର ମେମୁ ଟ୍ରେନ୍ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ୍ ରହିବ। ଦୂରଗାମୀ ଟ୍ରେନ୍ମାନଙ୍କ ମଧ୍ୟରେ ଫଲକନୁମା ଏକ୍ସପ୍ରେସ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ, ହାୱଡ଼ା-ପୁରୀ ଏକ୍ସପ୍ରେସ ଜୁଲାଇ ୨୯ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଏବଂ ହାୱଡ଼ା-ଭୁବନେଶ୍ୱର ଏକ୍ସପ୍ରେସ ଅଗଷ୍ଟ ୫ ତାରିଖରେ ବାତିଲ୍ ରହିବ।
ଅନ୍ୟପକ୍ଷରେ ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ, ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସମେତ ୫ଟି ଟ୍ରେନ୍କୁ ବିକଳ୍ପ ମାର୍ଗରେ ଚଳାଚଳ କରାଯିବ। ଏହି ଟ୍ରେନ୍ଗୁଡ଼ିକ ଚାନ୍ଦିଲ-କାଣ୍ଡ୍ରା-ସିନି-ରାଜଖରସୱାନ-ନୟାଗଡ଼-ଯଖପୁରା ରୁଟ୍ ଦେଇ ଚଳାଚଳ କରିବ। ସେହିପରି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଗୋମୋ-ବୋକାରୋ-ପୁରୁଲିଆ ମାର୍ଗ ଦେଇ ଡାଇଭର୍ଟ କରାଯିବ। ଏହି ଅବଧିରେ ବାରିପଦା-ବାଲେଶ୍ୱର ମେମୁ ଟ୍ରେନ୍ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ରୂପସା ଷ୍ଟେସନରେ ଯାତ୍ରା ଶେଷ କରିବ। ସେହିପରି ବାଲେଶ୍ୱର-ବାରିପଦା ମେମୁ ଜୁଲାଇ ୨୯ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ରୂପସା ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଫଳରେ ରୂପସା-ବାଲେଶ୍ୱର ମଧ୍ୟରେ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ ରହିବ।

ବାଲେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏବଂ ତୃତୀୟ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନନ୍-ଇଣ୍ଟରଲକିଂ କାର୍ଯ୍ୟ କରାଯାଉଛି। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍ର ସ୍ଥିତି ଯାଞ୍ଚ କରିବା ସହ ପରିବର୍ତ୍ତିତ ସମୟସୂଚୀ ଅନୁଯାୟୀ ନିଜ ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି।





