ଚିକିଲି ଗାଁକୁ ପସିଲା ଭାଲୁ ; ଲୋକେ ଭୟଭୀତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜଙ୍ଗଲ କ୍ଷୟ ହେବା ଯୋଗୁଁ ଏବେ ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛି। କୋକସରା ଫରେଷ୍ଟ ସେକ୍ସନର ଚିକିଲି ଗ୍ରାମରେ ଶନିବାର ଏକ ଭାଲୁ ଆତଙ୍କିତ ଖେଲାଇଥିଲା। ସକାଳୁ ସକାଳୁ ଗାଁ ଭିତରକୁ ହଠାତ୍ ପଶି ଆସିଥିଲା ଏକ ହିଂସ୍ର ଜଙ୍ଗଲୀ ଭାଲୁ। ଗାଁ ଦାଣ୍ଡରେ ଭାଲୁ କୁ ଏପଟ ସେପଟ ବୁଲୁଥିବା ଦେଖି ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା। ଆତଙ୍କିତ ଅବସ୍ଥାରେ କେହି କେହି ନିଜ ଜୀବନ ବିକଳରେ ଛାତ ଉପରକୁ ଚଢ଼ିଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ କୋକସରା ବନ ବିଭାଗର ଏକ ଟିମ୍ ସହ ପୋଲିସ କର୍ମଚାରୀ ମାନେ ପହଞ୍ଚିଥିଲେ। ଭାଲୁଟି କେଉଁଆଡ଼େ ଯାଉଛି, ତା’ର ଗତିବିଧି ଉପରେ ବନ କର୍ମଚାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ସୂଚନା ଅନୁସାରେ, ନିକଟସ୍ଥ ପାହାଡ଼ରୁ ଖାଦ୍ୟ ସନ୍ଧାନରେ ଏହି ଭାଲୁଟି ଗାଁ ଭିତରକୁ ଚାଲିଆସିଥିଲା। ତେବେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଭାଲୁଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଭାଲୁଟି ଜଙ୍ଗଲକୁ ଫେରିଯାଇଥିଲେ ସୁଦ୍ଧା, ପୁଣିଥରେ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କାରେ ସ୍ଥାନୀୟ ଲୋକେ ଏବେ ମଧ୍ୟ ଆତଙ୍କିତ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.