ପୁନିଗୁଡ଼ା ରାସ୍ତାର ଗାତ ନେଲା ଜୀବନ: ଅନ୍ୟକୁ ବଞ୍ଚେଇବାକୁ ଯାଇ ଟ୍ରାକ୍ଟର ଚକରେ ଚାପି ହୋଇ ମରିଗଲେ ଜିଲୁ ମାଝୀ

ମାଲିକ ମୃତଦେହ ଫିଙ୍ଗି ଫେରାର୍, ପାଞ୍ଚ ଝିଅ ଆଉ ଗୋଟେ ପୁଅ ହେଲେ ଅନାଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାସ୍ତା କଡର ଗାତ ଆଉ କେବଳ ଚକ ଭାଙ୍ଗୁନି, ଏବେ ଘର ଚୁଲି ବୁଝେଇ ଦେଉଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ପୁନିଗୁଡ଼ା ନିକଟରେ ସୋମବାର ଘଟିଛି ଆଉ ଗୋଟେ ହୃଦୟବିଦାରକ ଦୁର୍ଘଟଣା। ରାସ୍ତା କଡ଼ରେ ଥିବା ବିପଦସଂକୁଳ ଗାତ ଯୋଗୁଁ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ପ୍ରାଣ ହରେଇଛନ୍ତି (୩୮) ବର୍ଷୀୟ ଡ୍ରାଇଭର ଜିଲୁ ମାଝୀ। ସୂଚନାଯୋଗ୍ୟ କାନକୁଟୁରୁ ପଞ୍ଚାୟତ କୁମ୍ଭାରପଡ଼ା ଗ୍ରାମର ଜିଲୁ ମାଝୀ ଜଣେ ସାଧାରଣ ଟ୍ରାକ୍ଟର ଡ୍ରାଇଭର। ପୁନିଗୁଡ଼ା ଗ୍ରାମରେ ଚାଷକାମ ସାରି ଟ୍ରାକ୍ଟର ନେଇ ଘରକୁ ଫେରୁଥିଲେ। ଟ୍ରାକ୍ଟର ମାଲିକଙ୍କ ପୁଅ ଗାଡି ଚଳାଉଥିଲା, ଆଉ ଜିଲୁ ତା ପାଖରେ ବସିଥିଲେ। ହଠାତ୍ ସାମ୍ନାରୁ ଆଉ ଗୋଟେ ଟ୍ରାକ୍ଟର ଆସୁଥିଲା। ହେଲେ ଟ୍ରାକ୍ଟର ମାଲିକର ପୁଅ ଭାରସାମ୍ୟ ହରାଇ ଦେଇଥିବା ବେଳେ ପିଲାଟିକୁ ଆଉ ମାଲିକର ଗାଡିକୁ ବଞ୍ଚେଇବାକୁ ଯାଇ ଜିଲୁ ଷ୍ଟିୟରିଂ ମୋଡିଲେ। କିନ୍ତୁ ରାସ୍ତା କଡ଼ରେ ଥିବା ବଡ ଗାତରେ ଚକ ପଡ଼ିବା ମାତ୍ରେ ଟ୍ରାକ୍ଟର ଭାରସାମ୍ୟ ହରାଇଲା। ଜିଲୁ ତଳକୁ ଖସିପଡିଲେ ଆଉ ପଛ ଚକ ତାଙ୍କ ଉପରେ ଚଢିଗଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହେଲା। ତେବେ ଦୁର୍ଘଟଣା ପରେ ଆହତ ଜିଲୁଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଜୀବନ ବଞ୍ଚେଇବା ବଦଳରେ ଟ୍ରାକ୍ଟର ମାଲିକ ତାଙ୍କୁ ନିଜ ଇଣ୍ଡିକା କାରରେ ଆଣି ଗାଁ ପାଖରେ ଫିଙ୍ଗି ଦେଇ ପଳାଇ ଗଲେ। ଜଣେ ଶ୍ରମିକର ଜୀବନ ତାଙ୍କ ପାଇଁ କେତେ ସହଜ ଥିଲା, ଏଇଟା ହିଁ ତାର ଜ୍ବଳନ୍ତ ଉଦାହରଣ। ଏ ସମ୍ପର୍କରେ ଖବର ପାଇ ବିଶ୍ୱନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଟ୍ରାକ୍ଟରକୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଜିଲୁ ମାଝୀ ଥିଲେ ତାଙ୍କ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କ ପଛରେ ରହିଗଲେ ଅସହାୟ ସ୍ତ୍ରୀ, ପାଞ୍ଚ ଜଣ ନାବାଳିକା ଝିଅ ଆଉ ଗୋଟେ ଛୋଟ ପୁଅ। ଗୋଟେ ମୁହୂର୍ତ୍ତରେ ପୁରା ପରିବାର ରାସ୍ତାକୁ ଆସିଗଲେ। ଏବେ କୁମ୍ଭାରପଡ଼ା ଗାଁ ସାରା ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଫେରାର ମାଲିକୁ ତୁରନ୍ତ ଗିରଫ କରାଯିବା ସହ ମୃତ ଜିଲୁ ମାଝୀଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.