ମାନବିକତା ଦେଖାଇଲା ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ : ବୁର୍ଲାରୁ ଗାଁ ମାଟିକୁ ଫେରିଲା ଗରିବ ପରିବାର ମୁଖ୍ୟଙ୍କ ମରଶରୀର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟିଙ୍ଗିପଦର ଗାଁରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସବୁଦିନ ପାଇଁ ଆଖି ବୁଜିଛନ୍ତି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତଥା ମୁଖ୍ୟ ପୁରୁଷୋତ୍ତମ ମଲ୍ଲିକ। ମୃତ୍ୟୁ ପରେ ଅର୍ଥ ଅଭାବରୁ ବୁର୍ଲା ମେଡିକାଲରେ ଶବ ପଡ଼ି ରହିଥିବା ବେଳେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ସହାୟତାରେ ଶେଷରେ ମରଶରୀର ନିଜ ଗାଁ ମାଟିକୁ ଫେରିଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ପୁରୁଷୋତ୍ତମଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭବାନୀପାଟଣା ଓ ଶେଷରେ ଅତି ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ତାଙ୍କର ଅତି ଗରିବ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ଆର୍ଥିକ ଅନାଟନ ଯୋଗୁଁ ବୁର୍ଲାରୁ ମରଶରୀରକୁ ନିଜ ଗାଁକୁ ଆଣିବା ପରିବାର ପକ୍ଷେ ଅସମ୍ଭବ ଥିଲା। ଏହି ସମୟରେ ଗ୍ରାମର ସମାଜସେବୀ ପୁରୁଷୋତ୍ତମ ମାଝୀ, ଜଗୁଜୀବନ ସେଠିଆ ଏବଂ ସ୍ଥାନୀୟ ଗ୍ରାମବାସୀ ସହାୟତା ପାଇଁ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ଗାଡ଼ିର ବ୍ୟବସ୍ଥା କରାଯାଇ ଶବକୁ ବୁର୍ଲାରୁ ଟିଙ୍ଗିପଦର ଗାଁକୁ ଅଣାଯାଇଥିଲା। ମୃତ ପୁରୁଷୋତ୍ତମଙ୍କ ପରିବାର କହିଲେ ଜଣେ ଛୋଟ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି। ପରିବାରର ମୁଖ୍ୟଙ୍କୁ ହରାଇ ଏବେ ଏହି ଗରିବ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ଫାଉଣ୍ଡେସନର ଏହି ମହତ କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.