ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରାଜ୍ୟର ବରିଷ୍ଠ ସ୍କାଉଟ୍ ଓ ଗାଇଡ୍ ଲିଡର ତଥା କଳାହାଣ୍ଡି ଜିଲ୍ଲା କମିଶନର ମହେନ୍ଦ୍ର କୁମାର ପଣ୍ଡା ମଧ୍ୟପ୍ରଦେଶର ପଚମାଢ଼ୀ ସ୍ଥିତ ଭାରତ ସ୍କାଉଟ୍ ଓ ଗାଇଡ୍ ରାଷ୍ଟ୍ରୀୟ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ଏଡଭାନ୍ସଡ୍ କମିଶନର୍ସ କୋର୍ସରେ କୃତିତ୍ୱ ଅର୍ଜନ କରିଛନ୍ତି। ଉକ୍ତ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣର ସମାପନୀ ସମାରୋହରେ ନିର୍ଦ୍ଦେଶକ (ସ୍କାଉଟ୍ ପ୍ରଶିକ୍ଷଣ) ସ୍ମୃତି ସୌରଭ ରାୟ, ଡ. ଏସ୍ ସୁକୁମାର, ବି ରମେଶ, ଏ ଗୁରୁ ସ୍ୱାମୀ ପାଣ୍ଡିଆନ୍ ଏବଂ ଏସ୍ ଯାଦବ ପ୍ରମୁଖ ଯୋଗଦେଇ ଓଡ଼ିଶା ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ତରଫରୁ ଏକମାତ୍ର ପ୍ରତିଭାଗୀ ଶ୍ରୀ ପଣ୍ଡାଙ୍କୁ ସମ୍ଵର୍ଦ୍ଧିତ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡା ଦୀର୍ଘ ୪୦ ବର୍ଷ ଧରି କ୍ରୀଡ଼ା ଓ ଯୁବ ସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି। ଶାରୀରିକ ଶିକ୍ଷା ନିରୀକ୍ଷକ (ଆଇ.ପି.ଇ.) ଭାବେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରିବା ସମୟରେ ସେ ସ୍କାଉଟ୍ ଓ ଗାଇଡ୍ ଏବଂ ଜୁନିଅର ରେଡ୍ କ୍ରସ୍ କାର୍ଯ୍ୟକ୍ରମକୁ ଏକ ନୂତନ ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଜିଲ୍ଲାର ଶିକ୍ଷାର୍ଥୀମାନେ ଫୁଟବଲ୍ ଖେଳରେ ଜାତୀୟ ସ୍ତରରେ ପହଞ୍ଚିବାର ସୌଭାଗ୍ୟ ଅର୍ଜନ କରିଥିଲେ।
୨୦୧୭ ମସିହାରେ ସେ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିଥିବା ବେଳେ ୨୦୨୩ ମସିହାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାସ୍କେଟବଲ୍ ପ୍ରତିଯୋଗିତାରେ ସେ ଆବାହକ ଦାୟିତ୍ୱ ତୁଲାଇ ବେଶ୍ ପ୍ରଶଂସିତ ହୋଇଥିଲେ। ୨୦୧୭ ମସିହାରେ ଜୁନିଅର ରେଡ୍ କ୍ରସ୍ କ୍ଷେତ୍ରରେ କଳାହାଣ୍ଡି ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ଭାବେ ସମ୍ମାନିତ ହୋଇଥିଲା। ଏଥିସହ ୨୦୨୧ ଓ ୨୦୨୨ ମସିହାରେ କ୍ରମାଗତ ଭାବେ ସ୍କାଉଟ୍ ଓ ଗାଇଡ୍ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଶ୍ରେଷ୍ଠ ପୁରସ୍କାର ପାଇଥିଲା। ଏବେ ଜାତୀୟ ସ୍ତରର ଏହି ଉନ୍ନତ ପ୍ରଶିକ୍ଷଣ ପାଇବା ପରେ ଶ୍ରୀ ପଣ୍ଡା ଆଗାମୀ ଦିନରେ ସ୍କାଉଟ୍ ଆନ୍ଦୋଳନକୁ ଆହୁରି ସଶକ୍ତ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





