ନିରାଶ ହୋଇ ଫେରିଗଲେ ସର୍ଗିଗୁଡାର ଭତ୍ତା ହିତାଧିକାରୀ

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦେଖା ନାହିଁ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତରେ ଭତ୍ତା ହିତାଧିକାରୀ ମାନଙ୍କୁ ମଇ ମାସର ଭତ୍ତା ସୋମବାର ଦିନ ପ୍ରଦାନ କରାଯାଇଥିବା ବେଳେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ହିତାଧିକାରୀ ମାନଙ୍କୁ ଏଯାଏଁ ଭତ୍ତା ପ୍ରଦାନ କରାଯାଇନାହିଁ। ଏହାର ଏକମାତ୍ର କାରଣ ହେଉଛି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଦାଇତ୍ୱହୀନତା। ଗତ ଶନିବାର ଦିନ ଠାରୁ ବ୍ୟାଙ୍କରୁ ଭତ୍ତା ପ୍ରଦାନ ପାଇଁ ଟଙ୍କା ଉଠାଣ କରି ଆଣିଥିଲେ ସୁଦ୍ଧା ଏଯାଏଁ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇ ନଥିବା ଜଣାପଡିଛି। ଭତ୍ତା ନେବାପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ବୁଢାବୁଢୀ ମାନେ ଗ୍ରାମ ପଞ୍ଚାୟତ ଅଫିସକୁ ଆସି ଗ୍ରୀଷ୍ମ ତାତି ସମୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ ହୋଇ ଫେରିଯାଉଥିବା ବାସ୍ତବିକ ଦୁଃଖଦ ବିଷୟ ଅଟେ। ଗତ ସୋମବାର ଦିନ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ଦେବାରୁ ହିତାଧିକାରୀ ମାନେ ଗ୍ରାମ ପଞ୍ଚାୟତ ଅଫିସକୁ ଆସିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ନଆସିବାରୁ ସମସ୍ତେ ନିରାଶ ହୋଇ ଫେରି ଯାଇଥିଲେ। ତା ପରଦିନ ମଙ୍ଗଳବାର ଦିନ ମଧ୍ୟ ଘଟଣାର ପୁନରାବୃତ୍ତି ଘଟିଥିଲା। ବୁଧବାର ଓ ଗୁରୁବାର ସ୍ୱାସ୍ଥ୍ୟ ଅସୁବିଧା ଜନିତ କାରଣରୁ ସେ ଭତ୍ତା ବାଣ୍ଟିବା ପାଇଁ ଅଫିସ ଆସି ପାରିବେ ନାହିଁ ବୋଲି ଜଣା ପଡିଥିଲା। ହେଲେ ସଠିକ ତଥ୍ୟ ଜାଣିବା ପାଇଁ ହିତାଧିକାରୀ, ବୁଦ୍ଧିଜୀବୀ ମାନେ ଫୋନ କରିବାରୁ ତାଙ୍କ ମୋବାଇଲ ସ୍ୱିଚ ଅଫ୍ ରହିଥିବା ଜଣାପଡିଛି। ଏମିତିରେ ତ ନୂଆ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉତ୍ସବ ମାନ ସ୍ଥାନେ ସ୍ଥାନେ କରାଯାଉଥିବା ବେଳେ ଭତ୍ତା ଉପଭୋକ୍ତା ମାନେ ଗତ ମାର୍ଚ୍ଚ, ଅପ୍ରେଲ ଓ ମଇ ଏଭଳି ତିନି ମାସର ଭତ୍ତା ଟଙ୍କା ପାଇ ନଥିଲେ। ତିନି ମାସର ଟଙ୍କା ବାକି ଥିବା ବେଳେ ଗତ ମଇ ମାସରେ ଦୁଇ ମାସର ଭତ୍ତା ପ୍ରଦାନ କରାଗଲା ଉପଭୋକ୍ତାଙ୍କୁ। ବକେୟା ରହିଥିବା ମଇ ମାସର ଭତ୍ତା ଟଙ୍କା ପାଇବା ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉପଭୋକ୍ତା ବୁଢା ବୁଢୀ ପ୍ରଚଣ୍ଡ ଖରା ତାତିରେ ନାକେଦମ ହେଲେଣି। କାର୍ଯ୍ୟ ନିର୍ବାହୀ ଅଧିକାରୀ ନ ଆସି ପାରିବା ଖବର ପାଇ ନର୍ଲା ବିଡିଓ ବିପିନ ବିହାରୀ ଦୀପ ନର୍ଲା ବିଏସଏସଓ ପ୍ରଦୀପ ବେହେରାଙ୍କୁ ଭତ୍ତା ବଣ୍ଟନ କରିବା ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଫିସ କୁ ପଠାଇଥିଲେ। ହେଲେ ଭତ୍ତା ଟଙ୍କା ଏବଂ ରେଜିଷ୍ଟାର ସର୍ଗିଗୁଡା ପିଇଓ ଜଗଜୀବନ ସାହୁ ରଖି ଥିବାରୁ ଏବଂ ସେ ଅନୁପସ୍ଥିତ ଥିବାରୁ ଗତକାଲି ମଧ୍ୟ ଭତ୍ତା ବଣ୍ଟନ ହୋଇପାରି ନଥିଲା। ଏଥିପାଇଁ ଭତ୍ତା ହିତାଧିକାରୀ ତୀର୍ଥ ପଧାନ ଓ ଭକ୍ତ ନାଏକଙ୍କ ନେତୃତ୍ୱରେ ଅନେକ ଉପଭୋକ୍ତା ବ୍ଲକ ଅଫିସ କୁ ଯାଇ ଅଧିକାରୀ ମାନଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିବା ଜଣାପଡିଛି।ମୋତେ, ବ୍ଲକର ଅନ୍ୟଷ୍ଟାଫ କିମ୍ବା ଗ୍ରାମ ପଞ୍ଚାୟତ ଷ୍ଟାଫଙ୍କୁ ଟଙ୍କା ଏବଂ ରେଜିଷ୍ଟାର ପ୍ରଦାନ କଲେ ସିନା ଭତ୍ତା ବଣ୍ଟନ କରାଯାଇ ପାରିବ। ସେ ସବୁକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଘରେ ରଖି କୁଆଡେ ଚାଲି ଯାଇଥିଲେ କେମିତି ଭାବରେ ଭତ୍ତା ବଣ୍ଟନ କରାଯାଇ ପାରିବ ବୋଲି ବିଏସଏସଓ ଶ୍ରୀ ବେହେରା କହିଛନ୍ତି। ଏବିଷୟରେ ନର୍ଲା ବିଡିଓ ବିପିନ ବିହାରୀ ଦୀପଙ୍କୁ ପଚାରିବାରୁ ଭତ୍ତା ବଣ୍ଟନ ପାଇଁ କାହାକୁ ଦାଇତ୍ୱ ନଦେବା, ଭତ୍ତା ଟଙ୍କା ଉଠାଣ କରି ଭତ୍ତା ବଣ୍ଟନ ନକରିବା ଏବଂ ମୋବାଇଲ ସ୍ୱିଚ୍ ଅଫ୍ କରି ରଖିଥିବାରୁ ଓ ଯଦି ଦେହ ଖରାପ ହେଲା ତାହେଲେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନଜଣାଇ, ଭତ୍ତା ବଣ୍ଟନର ଦାଇତ୍ୱ କାହାକୁ ନଦେଇ ଚାଲିଯିବା ଠିକ ନୁହଁ। ବାଧ୍ୟ ହୋଇ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତେଲା ଦାଏର କରାଯିବ ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.