ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା- କାଉଗୁଡ଼ା ମଝି ପୋଲରେ ବିପଦ ସଂକୁଳ ଗାତ, ନିଦରେ ପୂର୍ତ୍ତବିଭାଗ” ଶୀର୍ଷକ ଖବର ଓଡ଼ିଆ ବାର୍ତ୍ତାରେ ପ୍ରକାଶ ପାଇବାର ଦିନକ ମଧ୍ୟରେ ପ୍ରଶାସନ ତତ୍ପର ହୋଇଛି। କାଉଗୁଡ଼ା-ସିକେରକୁପା ପୋଲର ବିପଦସଂକୁଳ ଗାତକୁ ମାଟି ଓ କଂକ୍ରିଟ ପକାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ପର୍ଯ୍ୟନ୍ତ ପୋଲ ମଝିରେ ଥିବା ବିରାଟ ଗାତ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ହେଉଥିଲା। ବର୍ଷା ପାଣିରେ ଖାଲ ଲୁଚି ଯାଉଥିବାରୁ ଭବାନୀପାଟଣା-ବିଶାଖାପାଟଣା ଲାଇଫଲାଇନ୍ କହୁଥିବା ୬ ନମ୍ବର ରାଜ୍ୟ ରାଜପଥ ମୃତ୍ୟୁଫାନ୍ଦ ପାଲଟିଥିଲା। ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମରାମତି କାମ ଆରମ୍ଭ କରିଛି। ପୋଲ ମରାମତି ଦେଖି ଲୋକେ ଆଶ୍ବସ୍ତ ହୋଇଛନ୍ତି। ଜନସାଧାରଣ କହିବା ଅନୁସାରେ”ବର୍ଷ ବର୍ଷ ହେଲା ଅଭିଯୋଗ କରୁଛୁ ଖବର ଛପିବା ପରେ ହିଁ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି। ଏବେ ପ୍ରାଣ ହାତରେ ଧରି ପୋଲ ପାର ହେବାକୁ ପଡିବନି। ଖବର ଛପିଲେ ହିଁ କାମ କାହିଁକି ବର୍ଷ ବର୍ଷ ଧରି ସ୍ମାରକପତ୍ର, ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ କାହିଁକି ଆଖି ବୁଜିଛନ୍ତି। ଜନତାଙ୍କ ଜୀବନ କ’ଣ ଖବର କାଗଜର ମୁଣ୍ଡା ଉପରେ ନିର୍ଭର କରିବ କି ବୋଲି ପ୍ରଶ୍ନ ହେଉଛି। ଅଞ୍ଚଳବାସୀଙ୍କ ଦାବିଯେ ମରାମତି ନାଁରେ କେବଳ କାଦୁଅ ପକେଇ ହେବନି। ପୋଲର ସ୍ଥାୟୀ ସମାଧାନ କରାଯାଉ ବର୍ଷା ପରେ ପୁଣି ଗାତ ସୃଷ୍ଟି ହେବ ଏଠାରେ ନୂତନ ପୋଲ ନିର୍ମାଣ ପାଇଁ ଦାବି ହେଉଛି।





