ଗୁମ୍ମା ଘାଟିରେ ଦୁର୍ଘଟଣା: ୩୨୬ ନଂ ଜାତୀୟ ରାଜପଥ ଜାମ୍

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଗୋଟିଏ ଟ୍ରଲର ଓଲଟିବା ଯୋଗୁଁ ଜାତୀୟ ରାଜପଥ ୩୨୬ ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି I ଫଳରେ ଜାତୀୟ ରାଜ ପଥରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଛି I ହଜାର ହଜାର ଯାତ୍ରୀ ରାତି ସାରା ଘାଟି ଓ ଜଙ୍ଗଲ ରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଛନ୍ତି I ସୂଚନା ଅନୁଯାଇ ଏକ ପାଇପ୍ ବୋଝେଇ ଟ୍ରଲର ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଗୁମ୍ମା ଘାଟିରେ ଗୋଟିଏ ନିର୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ରାସ୍ତା ଜାମ ହେଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ରାଜ ପଥ ଅଧିକାରୀ ଏନେଇ କୌଣସି ସମାଧାନର ରାସ୍ତା ବାହାର କରୁନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ I ବାରମ୍ବାର ଦୁର୍ଘଟଣାକୁ ନେଇ ଯାତ୍ରାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ଦେଖାଦେଇଛି I ବର୍ତ୍ତମାନ କେବଳ ଛୋଟିଆ ଗାଡି ଓ ବାଇକ ଏହି ରାସ୍ତାରେ ଯାତାୟାତ କରୁଛି I ମଧ୍ୟରାତ୍ରିରୁ ରାଜ୍ୟର ଅନ୍ୟ ସ୍ଥାନରୁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ବସ ଯୋଗେ ଯାଉଥିବା ଯାତ୍ରୀ ଘାଟିରେ ଫସିଯାଇଛନ୍ତି I ଏପରିକି କୋରାପୁଟ ଜିଲ୍ଲାରୁ ଭୁବନେଶ୍ୱର ଯାଉଥିବା ବସ ଯାତ୍ରୀ ମାନେ ଫସି ରହିଛନ୍ତି I ରାସ୍ତା ଜାମ ହୋଇ ପ୍ରାୟ ୬ ଘଣ୍ଟା ହୋଇଯାଇଥିଲେ ସୁଦ୍ଧା ଏହି ରାସ୍ତାରେ ଯାତାୟାତ ସାମାନ୍ୟ ହୋଇ ପାରିନାହିଁ I ଘଟଣା ସ୍ଥଳରେ କୁମ୍ବିକୋଟା ଫାଣ୍ଡି ଓ ରାୟଗଡା ପୁଲିସ ପହଞ୍ଚିଥିବା ସୂଚନା ମିଳିଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.