ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳର ସଂଗ୍ରାମୀ ନେତା କମ୍ରେଡ କେଶବ ପଧାନଙ୍କ ଏକାଦଶାହରେ ପଧାନ ପରିବାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲାର ପୂର୍ବତନ ବିଧାୟକ କୁମାରମଣି ଶବର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କୁମୁଦ ଚନ୍ଦ୍ର ନାଏକ,
ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ, ସିପିଆଇଏମଏଲର ଜିଲ୍ଲା ସହ ସଂପାଦକ ଦୟା ସାଗର ନାଏକ, ଗଜୀନ୍ଦ୍ର ପଧାନ, ରାଘବ ସା, ଉଦ୍ଧବ ପଧାନ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, କମ୍ରେଡ ବଲମ ଧରୁଆ, ଚନ୍ଦ୍ର ହରିଜନ, ପଦ୍ମନ ଦୋରା, ନରସିଂହ ଥପା ଓ ମୁଖ୍ୟ ବକ୍ତା ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କମ୍ରେଡ କେଶବ ପଧାନଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ୱର୍ଗତ କମ୍ରେଡ କେଶବ ପଧାନ ଜଣେ ସଂଗ୍ରାମୀ ନେତା ଥିଲେ। ସେ ଗିରିକନ୍ଦର ବାସୀ, ପଦର ବାସୀ ଗରୀବ ମାନଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ରେ ପଟ୍ଟା ପାଇବା, ପଦର ବାସୀଙ୍କ ପାଇଁ ପାନୀୟ ଜଳର ସୁଵିଧା, ପିଲାଙ୍କ ପାଇଁ ସ୍କୁଲ ସୁବିଧା ପାଇଁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲଢେଇ କରି ଆସୁଥିଲେ। ତାଙ୍କର ନିଧନରେ ଅଞ୍ଚଳ ଅପୂରଣୀୟ କ୍ଷତି ହୋଇଛି ବୋଲି ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ।

ସିପିଆଇଏମଏଲର ଜିଲ୍ଲା ସହ ସଂପାଦକ ଶ୍ରୀ ନାଏକଙ୍କ ନେତୃତ୍ବରେ ପ୍ରଥମେ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଫିସ ଠାରୁ ସିପିଆଏମଏଲର ଶତାଧିକ ମହିଳା ଓ ପୁରୁଷ କର୍ମୀଙ୍କୁ ନେଇ ସ୍ୱର୍ଗତ ଶ୍ରୀ ପଧାନଙ୍କ ଫଟୋ ଚିତ୍ର ଓ ଦଳୀୟ ପତାକା ଧରି କମ୍ରେଡ କେଶବ ପଧାନ ଅମର ରହେ ନାରା ଦେଇ ଏକ ଭବ୍ୟ ଶୋଭାଯାତ୍ରା ଘଣ୍ଟମାଳ ନଗର ପରିକ୍ରମା କରିଥିଲେ।

ଶ୍ରଦ୍ଧାଞ୍ଜଳି ସଭା ମଣ୍ଡପରେ ତାଙ୍କ ଫଟୋ ସ୍ଥାପନା ପରେ ତାଙ୍କ ସହଧର୍ମିଣି ସୁକାନ୍ତୀ, ପୁଅ ଦୀପକ, ଝିଅ ନିକିତା ଓ ଅଞ୍ଜଳୀ ପ୍ରଥମେ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ପରେ ପରିବାର ବର୍ଗ, ସିପିଆଏମଏଲ କର୍ମୀ ଓ ଉପସ୍ଥିତ ଜନ ସାଧାରଣ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଏହାପରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିଥି ବୃନ୍ଦ କମ୍ରେଡ ସ୍ବର୍ଗତ କେଶବ ପଧାନଙ୍କ ସ୍ମୁତି ଚାରଣ କରିଥିଲେ।

ଶ୍ୱେତ ସା ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଯୁବନେତା ଦୀପୁ ପାତ୍ର, ସିପିଆଇଏମ ନେତା ସତ୍ୟଜିତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କମ୍ରେଡ ନରସିଂହ ଥପା ଧନ୍ୟବାଦ ଅର୍ପଣ କରିଥିଲେ।





