ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ହରିଚନ୍ଦନପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ସ୍ମୃତିସଭାରେ ପ୍ରଶାସନିକ ଅଧିକାରୀ ସୁଦର୍ଶନ ଦାସ, ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଲ୍ୟାଣୀ ସଂଘମିତ୍ରା, ଡ଼. ପ୍ରଭାକର ତ୍ରିପାଠୀ, ୧୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ, ଗୌର କିଶୋର ମହାରଣା, ବିଷ୍ଣୁଚରଣ ଦାସ ଏବଂ ହାଲ୍ର ଡିଜିଏମ୍ ଇଂ. ଯତିରାଜ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବହୁମୁଖୀ ପ୍ରତିଭା, ସମାଜ ପ୍ରତି ଅବଦାନ ଏବଂ ବିଶେଷକରି ରମ୍ଭା, ହୁମ୍ମା, ଗଞ୍ଜାମ ଏବଂ ବେଗୁନିଆପଡ଼ା ଅଞ୍ଚଳରେ ଶିକ୍ଷାର ପ୍ରସାର, ଲୋକହିତକର କାର୍ଯ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ସ୍ୱର୍ଗତ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ପୁଣ୍ୟ ଗୋଦାବରୀ’ ଶୀର୍ଷକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇ ଦର୍ଶକମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ସାନ୍ଧ୍ୟକାଳୀନ କାର୍ଯ୍ୟକ୍ରମରେ ବିଶିଷ୍ଟ ପାଲା ଗାୟକ ବିଭୂତି ଭୂଷଣ ଦାଶ ପାଲା ପରିବେଷଣ କରିଥିଲେ। ଶେଷରେ ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ରାଜେନ୍ଦ୍ର ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।





