ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଯେଉଁ କେତୋଟି ବହୁ ପୁରାତନ ହାଇସ୍କୁଲ ରହିଛି ତନ୍ମଧ୍ୟରୁ ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ଅନ୍ୟତମ। ୧୯୬୩ ମସିହାରେ ଆମ୍ଭ ହୋଇଥିବା ଏହି ହାଇସ୍କୁଲ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳି ସାରିଛି। ଯୁବକରୁ ପ୍ରୌଢ ହେବାକୁ ବସିଲାଣି ହାଇସ୍କୁଲ ହେଲେ ସମସ୍ୟା ଏହାର ପିଛା ଛାଡୁନି। ଏହି ହାଇସ୍କୁଲରେ ଟିଚିଙ୍ଗ ଷ୍ଟାଫ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ୧୯ ଜଣ ରହିଥିବା ବେଳେ ୩ ଜଣ ରହିଛନ୍ତି ନନ ଟିଚିଙ୍ଗ ଷ୍ଟାଫ। ମୁଖ୍ୟ ରୋଷେଇଆ ଓ ୩ ଜଣ ସହାୟୀକା ରହି ପାକଶାଳା ସମ୍ଭାଳୁଥିବା ଜଣାପଡିଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ରହିଛି ୩୫୮। ଆଦିବାସୀ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଷ୍ଟେ ମଧ୍ୟ ଚାଲିଛି। ଏଥିରେ ୯୦ ଜଣ ଅନୁସୂଚିତ ଜନ ଜାତିର ଛାତ୍ରୀ ଓ ଅନୁସୁଚିତ ଜାତିର ୧୦ ଜଣ ଛାତ୍ରୀ ଏଭଳି ମୋଟ ୧୦୦ ଜଣ ରହି ପାଠ ପଢିବା ପାଇଁ ବ୍ୟବସ୍ଥା ରହିଛି। ହେଲେ ବର୍ତ୍ତମାନ ହଷ୍ଟେଲରେ ୮୯ ଜଣ ରହୁଛନ୍ତି ଅନ୍ତେବାସୀ। ହଷ୍ଟେଲ ପାଇଁ ସ୍ୱତନ୍ତ୍ର ରୋଷେଇଆ, ସହକାରୀ ଓ ଦୁଇଜଣ ମେଟ୍ରନ ରହିଛନ୍ତି। ଗତ ମାସରେ ନୂଆ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଅହଲ୍ୟା ସାହୁ ଦାଇତ୍ୱ ଭାର ଗ୍ରହଣ କରିଛନ୍ତି ନର୍ଲା ହାଇସ୍କୁଲର। ଅନେକ ସମସ୍ୟା ଜର୍ଜରିତ ଏତେବଡ ହାଇସ୍କୁଲ ସୁଚାରୁ ରୁପେ ପରିଚାଳନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଆରମ୍ଭରୁ ଛପର ଘରେ ଚାଲି ଆସୁଥିଲା ହାଇସ୍କୁଲ। ସମୟକ୍ରମେ ଏବେ ସବୁ ପକ୍କା ଭବନ ହୋଇଛି। ବିଜେଡି ଶାସନ କାଳରେ “୫-ଟି” ରେ ପ୍ରଥମ ପର୍ଯ୍ୟାରେ ଏହି ହାଇସ୍କୁଲ ସାମିଲ ହେବା ସହ ନୂଆ କଳେବର ପାଇ ବେଶ ଚକଚକିଆ ଓ ମନୋରମ ସାଜିଛି। ହେଲେ ଅଦ୍ୟାବଧି ରୋଷେଇ ଘରଟେ ନିର୍ମାଣ ହୋଇ ପାରିନି। ପୁରୁଣା ମାଟି ଛପର ଘର ବାରଣ୍ଡାରେ ଚାଲିଛି ପାକଶାଳା। ସେଥିରେ ମଧ୍ୟ ସ୍ଥାୟୀ ଚୁଲି ନାହିଁ। ସିମେଣ୍ଟ ଇଟା ତିନି ଖଣ୍ଡକୁ ଥୋଇ ଅସ୍ଥାୟୀ ଚୁଲି ନିର୍ମାଣ କରାଯାଇ ଚାଲିଛି ରନ୍ଧନ ବ୍ୟବସ୍ଥା। ହାଇସ୍କୁଲ ପାଇଁ ପାଣି ଟାଙ୍କିର ବ୍ୟବସ୍ଥା ନଥିବାରୁ ରୋଷେଇ ସମୟରେ ବାଲଟିରେ ବୋହି ଆଣି ରୋଷେଇ କାମ ଚାଲୁଥିବା କହିଛନ୍ତି ମୁଖ୍ୟ ରୋଷେଇଆ। ଏହାବାଦ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଚାରିଗୋଟି ଶୌଚାଳୟ ରହିଛି ଯାହା ପର୍ଯ୍ୟାପ୍ତ ନୁହଁ। ଅନେକ ଛାତ୍ର ବାହାରେ ଲଘୁଶଙ୍କା କରୁଥିବା ମଧ୍ୟ ଜଣାପଡିଛି। ଫାଇବ-ଟି ସମୟରେ ବିଦ୍ଯାଳୟରେ ୮ ଗୋଟି କମ୍ପ୍ୟୁଟର ଦିଆଯାଇଛି ହେଲେ ସେସବୁ ଅଚଳ ହୋଇ ପଡି ଥିବାରୁ ଛାତ୍ର ଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ ହୋଇ ପାରୁନି। ବିଦ୍ୟାଳୟ ପରିସରରେ ଦୁଇଗୋଟି ବୋରିଙ୍ଗ ରହିଥିବା ବେଳେ ଗୋଟିଏ କାର୍ଯ୍ୟକ୍ଷମ ଅଛି। ସମୁଦାୟ ହଷ୍ଟେଲ ଓ ବିଦ୍ୟାଳୟ ପାଇଁ ପାଣି ଯୋଗାଇବାରେ ମୋଟର ଉପରେ ଅଧିକ ଚାପ ପଡୁଥିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ସାହୁ। ଅନ୍ୟପକ୍ଷେ ଛାତ୍ରୀ ନିବାସ ପାର୍ଶ୍ୱରେ ଆଉ ଗୋଟିଏ ବୋରିଙ୍ଗ ବ୍ୟବହାର ନହୋଇ ପଡି ରହିଛି। ଏଥିରେ ମୋଟର, ପାଇପ ଓ ହାଇସ୍କୁଲ ଛତ ଉପରେ ପାଣି ଟାଙ୍କିର ସଂଯୋଗୀ କରଣ କରାଗଲେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଟିକେ ଲାଘବ ହୁଅନ୍ତା ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଉଛି।





