ଦେବଗିରି ମଠର ବିକାଶ ନେଇ ବିଡ଼ିଓଙ୍କୁ ଭେଟିଲେ ମ୍ୟାନେଜିଂ ଟ୍ରଷ୍ଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଦେବଗିରି ମଠ ବୁଢୀପଦରର ସଂପୂର୍ଣ୍ଣ ବିକାଶ ନେଇ ପ୍ରୟାସ ଯୋରଦାର ହୋଇଛି।ମଙ୍ଗଳବାର ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କୁ ଏନେଇ ସାକ୍ଷାତ କରିଛନ୍ତି ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଓ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ଧଙ୍ଗଡାମାଝୀ। ତିନି ହଜାର ବର୍ଷର ସ୍ମାରକୀ ବହନ କରୁଥିବା ଦେବଗିରି ଆଜି ମଧ୍ୟ ଆଟବିକ ସଭ୍ୟତାର ମୁକସାକ୍ଷୀ ଭାବେ ଦଣ୍ଡାୟମାନ। କାଳର କରାଳ ଗ୍ରାସରେ ଦେବଗିରି ସଭ୍ୟତା ବିଳିନ ହେବାପରେ ସପ୍ତାଦଶ ଶତାବ୍ଦୀରୁ କଳାହାଣ୍ଡି ନାଗବଂଶୀ ରାଜାମାନେ ଏହାର ପୁନରୁଦ୍ଧାର କରାଇଥିଲେ। ପରବର୍ତ୍ତୀ ସମୟରେ ଉତ୍କଳୀୟ ବୈଷ୍ଣବ ସନ୍ଥ ଦିନବନ୍ଧୁ ଦାସଙ୍କ ଦ୍ବାରା ଏଠାରେ ଦେବଗିରି ମଠ ସ୍ଥାପିତ ହୋଇ ବୈଷ୍ଣବ ଧର୍ମ ସହ ଶୈବ, ଶାକ୍ତ, ସୌର ଓ ଗାଣପତ୍ୟ ଧର୍ମର ମହାନ ପୀଠସ୍ଥଳୀ ଭାବେ ଖ୍ୟାତି ଲାଭ କରିଛି। କଳାହାଣ୍ଡି ରାଜା ରାମଚନ୍ଦ୍ର ଦେଓ ଦେବଗିରି ମଠରେ ଜଗନ୍ନାଥ (ଦଧିବାମନଜୀଉ) ମନ୍ଦିର ନିର୍ମାଣ କରାଇଥିଲେ। ମଠର ସୁପରିଚାଳନା ପାଇଁ ମହାରାଜ ବ୍ରଜମୋହନ ଦେଓ ୭୩ ଏକର ଜମି ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବାପରେ କଳାହାଣ୍ଡି ରାଜା ଆଉ ପୂର୍ବପରି ମଠ ପ୍ରତି ଦୃଷ୍ଟି ଦେଇପାରିନଥିଲେ। ପରେ ଦେବଗିରି ମଠ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ରହିଥିଲା। ଦେବୋତ୍ତର ବିଭାଗ ଟ୍ରଷ୍ଟ ବୋର୍ଡ ମାଧ୍ୟମରେ ମଠର ସୁପରିଚାଳନା କରାଇ ଆସୁଛନ୍ତି। ପ୍ରାଚୀନ ଆଟବିକ, ବିଦ୍ୟାଧର ରାଜ୍ୟ, କାନ୍ତାର ଓ ମହାକାନ୍ତାର ସଭ୍ୟତାର ସାଂସ୍କୃତିକ କେନ୍ଦ୍ର ଦେବଗିରି କାଳର କରାଳ ଗ୍ରାସରେ ବିଳିନ ହୋଇଛି ସତ କିନ୍ତୁ ଆଜିବି ଧର୍ମ ସହ ଲୋକ ସଂସ୍କୃତିକୁ ଯୋଡ଼ି ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି ଦେବଗିରି ମଠ। ଦେବଗିରିର ପ୍ରାଚୀନ ଅବଶେଷର ସଂରକ୍ଷଣ ସହ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ନେଇ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। ନିକଟରେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଓ ସଦସ୍ୟ ବୃନ୍ଦ ଭୁବନେଶ୍ୱର ଯାଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସାକ୍ଷାତ କରିଥିଲେ। ଆଜି ମଠର ଉନ୍ନତିକରଣ ନେଇ ନର୍ଲା ବିଡ଼ିଓଙ୍କୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ଦେବଗିରି ମଠ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ବିଡ଼ିଓ ଶ୍ରୀ ଦୀପ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.