କୃଷିଭବନରେ ମାଗଣା ସ୍ୱାସ୍ଥ୍ୟ ଶିବିର

୨୦ରୁ ଅଧିକ କର୍ମଚାରୀ ହେଲେ ଉପକୃତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ କୃଷି ନିର୍ଦ୍ଦେଶାଳୟ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଏବଂ ଆସ୍ୟୁର୍ ହସ୍ପିଟାଲ, ଖଣ୍ଡଗିରିର ସହଯୋଗରେ କୃଷିଭବନ ପରିସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ନିର୍ଦ୍ଦେଶକ ତଥା ସାଂସ୍କୃତିକ ସଂସଦର ସଭାପତି ଶ୍ରୀ ଶୁଭମ୍ ସାକ୍ସେନା, ଭାପ୍ରସେଙ୍କ ତତ୍ତ୍ୱାବଧାନରେ ଯୁଗ୍ମ ନିର୍ଦ୍ଦେଶିକା (ପ୍ରଶାସନ) ଶ୍ରୀମତୀ ସନ୍ଧ୍ୟାରାଣୀ ଗୁରୁ, ଓପ୍ରସେ ଏବଂ ଅତିରିକ୍ତ କୃଷି ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ମିଳିତ ଭାବେ ଶିବିରର ଉଦ୍‌ଘାଟନ କରିଥିଲେ। ଶିବିରରେ କୃଷିଭବନରେ କାର୍ଯ୍ୟରତ ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କର ଇସିଜି, ସିବିସି, ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା ସମେତ ସାମଗ୍ରିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଆସ୍ୟୁର୍ ହସ୍ପିଟାଲର ବିଶେଷଜ୍ଞ ଚିକିତ୍ସକ ଡାକ୍ତର ପ୍ରତାପ ପାଣି (ସ୍ନାୟୁ ବିଶେଷଜ୍ଞ), ଡାକ୍ତର ମେଘନାଦ ମେହେର (ଔଷଧ) ଏବଂ ଡାକ୍ତର ଆଶୁତୋଷ ଦାଶ (ଔଷଧ) ଉପସ୍ଥିତ ରହି ସମସ୍ତଙ୍କୁ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିଥିଲେ। ଏହି ଅବସରେ ଆସ୍ୟୁର୍ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ହାଡିବନ୍ଧୁ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। ଶିବିରକୁ ସଫଳ କରିବାରେ ସଂସଦର ଉପସଭାପତି ଶ୍ରୀ କୈଳାସ ଚନ୍ଦ୍ର ରାଉତ, ସମ୍ପାଦକ ଶ୍ରୀ ନବକୃଷ୍ଣ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଶ୍ରୀ ଶୋଭନ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ ଅଂଶୁମାନ ମିଶ୍ରଙ୍କ ସହ ବରିଷ୍ଠ ସଦସ୍ୟ ଶ୍ରୀ ଶୁଭେନ୍ଦୁ ଦାଶ, ଦେବାଶିଷ ପତ୍ରୀ, ଅରୁଣ କୁମାର ରଥ, ରବୀନ୍ଦ୍ର କୁମାର ନିଶଙ୍କ, ସଞ୍ଜୟ କୁମାର ବେହେରା, କୁଳମଣି ବେହେରା, ଦେବାଶିଷ ମହାନ୍ତି, ଦୀପାଞ୍ଜଳି ରାଉତ ଓ ସ୍ୱାତୀ ମହାପାତ୍ର ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। କର୍ମଚାରୀମାନେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ସାଂସ୍କୃତିକ ସଂସଦ ଓ ଆସ୍ୟୁର୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.