ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରତ ବିରୋଧୀ ନେତାଙ୍କୁ ପୁଲିସ ଅଟକ ରଖିବା ଘଟଣାର ପ୍ରତିବାଦରେ କୋରାପୁଟରେ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ କଂଗ୍ରେସର ଆହ୍ୱାନକ୍ରମେ ଆୟୋଜିତ ଏହି ପ୍ରତିବାଦରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ରାଜ୍ଯ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଂଗ୍ରେସ ନେତାମାନଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନ ଏବଂ ଧାରଣାରତ ବିରୋଧୀ ନେତାମାନଙ୍କୁ ଅଟକ ରଖିବା ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ। ଏହାର ପ୍ରତିବାଦରେ ସାରା ରାଜ୍ୟରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ନିମାଇ ସରକାର, ସାଂସଦ ପ୍ରତିନିଧି ବାବୁଲା ବେନିୟା, କୋରାପୁଟ ପୌରପରିଷ ସଭ୍ୟା ଚନ୍ଦ୍ରପ୍ରଭା ହିଆଲ, ଜୟପୁର ପୌରପରିଷଦ ସଭ୍ୟ ପ୍ରଣବ ନାୟକ, ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ, କୋରାପୁଟ୍ ବ୍ଲକ୍ ଦଶମନ୍ତପୁର ବ୍ଳକ୍ ସଭପତି ସମେତ ଦଳର ବହୁ ବରିଷ୍ଠ ନେତା, ପଦାଧିକାରୀ ଓ କର୍ମୀମାନେ ସାମିଲ ହୋଇଥିଲେ।






