ବୁଗୁଡ଼ା କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ. କୁମୁଦ ଚନ୍ଦ୍ର ବେହେରା): ଛାତ୍ର ଛାତ୍ରୀଙ୍କ ସ୍ୱରକୁ ପୁଲିସ ଦ୍ୱାରା ଦମନ କରାଯାଉଥିବା ଅଭିଯୋଗ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ଓ ବୁଗୁଡ଼ା ବ୍ଲକ୍ କଂଗ୍ରେସର ସଭାପତି ଜାନକୀ ବଲ୍ଲଭ ରାଉତଙ୍କ ତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବୁଗୁଡ଼ାସ୍ଥିତ ପିପୁଲସ୍ ହାଇସ୍କୁଲ ଛକଠାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକାଠି ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ କରିଥିଲେ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଅତ୍ୟାଚାର ଓ ସ୍ୱର ଚାପିଦେବା ଚକ୍ରାନ୍ତକୁ ନିନ୍ଦା କରିଥିଲେ। ଏଥିସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ ଆଣିଥିଲେ। ପ୍ରତିବାଦ ସ୍ୱରୂପ କଂଗ୍ରେସ ନେତୃବୃନ୍ଦ ପିପୁଲସ୍ ହାଇସ୍କୁଲ ଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଗାମୀ ଦିନରେ ଯଦି ଛାତ୍ରସମାଜକୁ ନ୍ୟାୟ ନମିଳେ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରାନଯାଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.