ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷ ୫ ଘଟିକା ରେ ଡାକବାଜି ଯନ୍ତ୍ର ଦ୍ୱାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭ ଘଟିକା ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ କାରାଗାର ଏବଂ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠାନ ପକ୍ଷରୁ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି । ଏହା ବ୍ଯତୀତ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ଯ ଆୟୋଜନ କରାଯିବ। ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ସହକାରୀ ଜିଲ୍ଲାପାଳ ଅବିନାଶ ପଣ୍ଡା, ବାଲିଗୁଡ଼ା ଆଇ.ଆଇ.ସି ସମିର କୁମାର ପ୍ରଧାନ, ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ପରିଚାଳନା କରିଥିବା ବେଳେ ଉତ୍ସବ ପରିଚାଳନା କମିଟି ର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇ, ରଶ୍ମିରଞ୍ଜନ ମହାରଣା ଏବଂ ଅଭିମନ୍ୟୁ ପ୍ରଧାନ ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.