ଦେବ ଦୁର୍ଲଭ ବାହୁଡ଼ା ଯାତ୍ରା

ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୂଖୀ ଯାତ୍ରା କୁହାଯାଏ। ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧବାନ ଅଟେ। ସେଦିନ ବିଷ୍ଣୁଙ୍କର ପାଳିତ ହେଉଥିବା ଦକ୍ଷିଣାଭିମୂଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ବୋଲି ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି। ଶ୍ରୀବିଗ୍ରହ ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳ ଠାକୁରମାନଙ୍କୁ ଦର୍ଶନ କଲେ ଗୁଣ୍ଡିଚାଯାତ୍ରା ଦିନ କରିଥିବା ଉତ୍ତରାଭିମୁଖ ଦର୍ଶନର ଫଳ ମିଳିଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବାପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଁଚିବା କ୍ଷଣି ରାଘବଦାସ ମଠ ପ୍ରଦତ୍ତ ଟାହିୟା, ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ( ଧଣ୍ଡି ଓ ଚନ୍ଦନ) ବନ୍ଦାପନା, କର୍ପୂର ଆଳତି, ସାତବତୀ ସଞ୍ଜ କାହାଳି ଓ ଘସା, ବିଡ଼ିଆ ମାଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢ଼ାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ୱ ସ୍ୱ ରଥକୁ ବିଜେ କରିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.