ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ, ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ପାଇଁ ଦେଲେ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବୁଧବାର ବନ୍ୟା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦହପଡା, ଛନୁଆ, କୁରୁଡ଼ିହା ଓ ବାହାବଳପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବନ୍ୟା ସ୍ଥିତି ଏବଂ ଜନଜୀବନ ଉପରେ ପଡ଼ିଥିବା ପ୍ରଭାବର ଅନୁଧ୍ୟାନ କରିଥିଲେ। ଏହି ଗସ୍ତରେ ବାଲେଶ୍ୱର ସାଂସଦ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ଏବଂ ସଦର ବିଧାୟକ ମଧ୍ୟ ସାମିଲ ହୋଇଥିଲେ। ପ୍ରଭାବିତ ପରିବାରମାନଙ୍କ ଘରକୁ ଯାଇ ଶ୍ରୀମତୀ ପରିଡା ସେମାନଙ୍କ ଦୁଃଖଦୁର୍ଦ୍ଦଶା ଓ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର, ଚାଷଜମି, ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ସେ ନିଜେ ପରଖିଥିଲେ। ଏହି ଅବସରରେ ସେ କହିଥିଲେ ଯେ ରାଜ୍ୟ ସରକାର ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସହ ରହିଛନ୍ତି ଏବଂ କୌଣସି ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ହେବେ ନାହିଁ।

ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଆଶ୍ରୟସ୍ଥଳ ଓ ରିଲିଫ୍ ବଣ୍ଟନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପରିଦର୍ଶନ କରିଥିଲେ। ସେ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଅଧିକାରୀମାନଙ୍କ ଠାରୁ ସୂଚନା ନେଇ ଆବଶ୍ୟକ ସ୍ଥାନରେ ଅଧିକ ରିଲିଫ୍ ସାମଗ୍ରୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।

ପରେ ବାଲେଶ୍ୱର କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବନ୍ୟା ସ୍ଥିତି, ଉଦ୍ଧାର କାର୍ଯ୍ୟ, ରିଲିଫ୍ ବଣ୍ଟନ, କ୍ଷୟକ୍ଷତିର ଆକଳନ ଓ ପୁନରୁଦ୍ଧାର ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଠାରୁ ସେ ବ୍ଲକଭିତ୍ତିକ ସ୍ଥିତି ସମ୍ପର୍କରେ ସୂଚନା ନେଇଥିଲେ। କେଉଁଠି କୌଣସି ସମସ୍ୟା ରହିଥିଲେ ତାହାର ତୁରନ୍ତ ସମାଧାନ କରିବା ସହ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। କ୍ଷତିଗ୍ରସ୍ତ ରାସ୍ତା, ପୋଲ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମିର ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି କ୍ଷତିଗ୍ରସ୍ତ ପରିବାରମାନଙ୍କର ତାଲିକା ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପ୍ରସ୍ତୁତ କରି ଶୀଘ୍ର କ୍ଷତିପୂରଣ ଓ ସରକାରୀ ସହାୟତା ପ୍ରଦାନ ପାଇଁ କହିଥିଲେ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗକୁ ବନ୍ୟା ପରବର୍ତ୍ତୀ ସମ୍ଭାବ୍ୟ ସଂକ୍ରାମକ ରୋଗ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ପଶୁ ସମ୍ପଦ ବିଭାଗକୁ ପଶୁମାନଙ୍କ ଚିକିତ୍ସା ଓ କୃଷି ବିଭାଗକୁ ଚାଷ କ୍ଷତିର ଆକଳନ କରି ଚାଷୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ବିଧାୟକ ଓ ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ବନ୍ୟା ସ୍ଥିତି, ଲୋକଙ୍କ ସମସ୍ୟା ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।ଶେଷରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ, ଉଦ୍ଧାରକାରୀ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ବନ୍ୟା ପରିଚାଳନାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ହେଲେ ଅଧିକ ସହାୟତା ଓ ସମ୍ବଳ ଯୋଗାଇ ଦିଆଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.