ଢେପଗୁଡ଼ା ଜଙ୍ଗଲର ଜରାଜୀର୍ଣ୍ଣ ପୋଲରେ ବାରମ୍ବାର ଦୁର୍ଘଟଣା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ୬ ନମ୍ବର ରାଜ୍ୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ଯମଦୂତ ସାଜିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଢେପଗୁଡ଼ା ଜଙ୍ଗଲ ମଧ୍ୟରେ ଥିବା ଏକ ଅଣଓସାରିଆ ଓ ଜରାଜୀର୍ଣ୍ଣ ପୋଲ। ପୋଲର ଦୁଇ ପାର୍ଶ୍ୱରେ ରହିଛି ବିପଜ୍ଜନକ ବୁଲାଣି ଏବଂ ପୋଲ ମଧ୍ୟଭାଗରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତ। ଏଠାରେ ବାଇକ୍, ଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ ପର୍ଯ୍ୟନ୍ତ ସବୁ ପ୍ରକାର ଯାନବାହନ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନେକ ନିରୀହ ଜୀବନ ଚାଲିଗଲାଣି ଏବଂ ଅନେକ ଆଜିବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ଏହି ସମସ୍ୟାର ସବୁଠାରୁ ବଡ଼ ପ୍ରମାଣ ପୁଣି ଥରେ ଦେଖିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ପୋଲର ଗର୍ତ୍ତରେ ପଡି ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗାଡି ଭିତରେ ହିଁ ଡ୍ରାଇଭର ଫସି ରହିଥିବା ବେଳେ ଭବାନୀପାଟଣା ଓ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର ସହାୟତାରେ ଚାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ବିଶ୍ୱନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ପ୍ରଶାସନର ମରୀଚିକା ନୀତି
ପ୍ରଶାସନ ଓ ପୂର୍ତ୍ତ ବିଭାଗର ମରୀଚିକା ନୀତି ଯୋଗୁଁ ଏହି ସ୍ଥାନରେ ବାରମ୍ବାର ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ କାହାରି ନିଦ ଭାଙ୍ଗୁ ନାହିଁ। ରାଜ୍ୟର ଏଭଳି ଏକ ପ୍ରମୁଖ ରାଜପଥରେ ଏତେ ବଡ଼ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୂର୍ତ୍ତ ବିଭାଗର ନିରବଦ୍ରଷ୍ଟା ସାଜିବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ କେତେ ଜଣ ମୃତ୍ୟୁ ପରେ ଏହି ବିଭାଗର ଚେତା ପଶିବ ତାହା ଦେଖିବାକୁ ବାକି ରହିଲା।






