ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ହେଲା ବର୍ଷା କବିତା କୋଲାଜ୍

• ଯୁଦ୍ଧର ବିଭୀଷିକା ଭିତରେ କବିତା ଆଶା ଓ ଶାନ୍ତିର ବାର୍ତ୍ତା ଦିଏ: କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ​ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସଂସଦ କାର୍ଯ୍ୟାଳୟ ପରିସରରେ ‘କଦମ୍ବ ଫୁଟିଲା ସହି’ ଶୀର୍ଷକ ବର୍ଷା କବିତା କୋଲାଜ୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ତଥା ବିଶିଷ୍ଟ କଥାକାର ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଆସରକୁ ସଂସଦର ସାଧାରଣ ସମ୍ପାଦକ ଡ଼କ୍ଟର ରାଧାରଞ୍ଜନ ପଟ୍ଟନାୟକ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଲେଶ୍ୱର ଆଇନ କଲେଜର ଅନ୍ୟତମ ପ୍ରତିଷ୍ଠାତା ତଥା ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତଃ ପ୍ରଶାନ୍ତ ଚାନ୍ଦଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସଂସଦର ସାଂସ୍କୃତିକ ସମ୍ପାଦକ ତଥା ସଙ୍ଗୀତ ବିଶାରଦ ଅମୃତାଂଶୁ ପଟ୍ଟନାୟକ ଜଗନ୍ନାଥ ଭଜନ ପରିବେଷଣ କରି ଆସରକୁ ଭାବମୟ କରିଥିଲେ। ଏହି ସମାରୋହରେ ‘ସମାଜ’ (ଉତ୍ତର ଓଡ଼ିଶା ସଂସ୍କରଣ)ର ସମ୍ବାଦ ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମେଘ ମାଟିକୁ ଶୀତଳ କରୁଥିବା ବେଳେ କବି ଓ ଲେଖକ ସମାଜକୁ ଶାନ୍ତ ଓ ସ୍ନିଗ୍ଧ କରିଥାନ୍ତି। ଆଜିର ଯୁଦ୍ଧବିଭୀଷିକାମୟ ପୃଥିବୀରେ ଏଭଳି କବିତା ପାଠ ଆଶା ଓ ବିଶ୍ୱାସର ଏକ ଅଭିନବ ପ୍ରୟାସ। ବର୍ଷା ଜୀବନ ସଞ୍ଚାର କରେ ଏବଂ ସୃଜନଶୀଳତାର ନୂତନ ଆଲୋକ ଦେଖାଏ। ଅନ୍ୟତମ ଅତିଥି କବି ଅଭୟ ଦାସ ବର୍ଷାକୁ ଶୀତଳତାର ଆହ୍ଲାଦ ଓ କବି ହୃଦୟରେ ନୂତନ ଶବ୍ଦର ଉନ୍ମେଷ ବୋଲି ବ୍ୟାଖ୍ୟା କରିଥିଲେ। ସେହିପରି କବି କାଳିପଦ ପଣ୍ଡା ନିଜ ଅନୁଭୂତିରୁ କହିଥିଲେ ଯେ, ଓଳି ତଳେ କାଗଜ ଡଙ୍ଗା ଭସାଇବାର ସ୍ମୃତି ଆଜି ବିରଳ। ସେ କାଳିଦାସଙ୍କ ‘ମେଘଦୂତ’ର ଉଦାହରଣ ଦେଇ ବର୍ଷାକୁ ଜଗତର ରାଣୀ ଭାବେ ଅଭିହିତ କରିଥିଲେ।

​ଛାତ୍ର ସଂସଦର ପ୍ରଥମ ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ରମାକାନ୍ତ ନାୟକ ଯୋଗଦେଇ ‘କଦମ୍ବ’କୁ ଉଲ୍ଲାସ ଓ ଉଦ୍ଦୀପନାର ପ୍ରତୀକ ଭାବେ ଦର୍ଶାଇବା ସହ ପଠିତ କବିତାଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଚର୍ଚ୍ଚା କରିଥିଲେ। ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ପାଣିଗ୍ରାହୀ ଏଭଳି ସୃଜନଶୀଳ ଆସର ମାନବୀୟ ସମ୍ପର୍କକୁ ଅଧିକ ଦୃଢ଼ କରେ ବୋଲି ମତବ୍ୟକ୍ତ କରିଥିଲେ। ​ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ନିମନ୍ତ୍ରିତ କବି ଓ ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ସଂସଦ ସାରା ବର୍ଷ ନିଃଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ କରିଆସୁଥିବା ବେଳେ ‘କଦମ୍ବ ଫୁଟିଲା ସହି’ ଭଳି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠାନ ପାଇଁ ଏକ ନୂତନ ଫର୍ଦ୍ଦ ଯୋଡ଼ି ପାରିଛି। କେବଳ ସେତିକି ନୁହେଁ , ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସଦ ତାର ଗାରିମା ବଜାୟ ରଖିପାରିଛି ବୋଲି ସେ ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ଏହି ସାରସ୍ୱତ ଆସରରେ କବି ଅଭୟ ଦାସ, ଡକ୍ଟର ରମାକାନ୍ତ ନାୟକ, ମନସ୍ୱିନୀ ଦେବୀ, ଜ୍ୟୋତ୍ସ୍ନା ରାଣୀ ରାୟ, ପ୍ରତିମା ପଣ୍ଡା, ପ୍ରବୀର କମିଳା, ପ୍ରୀତିଲେଖା ଦାସ, ଜୟନ୍ତ ହଂସରାଜ,ପୀତମ୍ବର ଦାସ, ଦୀନବନ୍ଧୁ ଲେଙ୍କା, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଚିତ୍ରାରାଣୀ ପାତ୍ର, ସୁଧାକର ସେଠୀ, ଅଜୟ କୁମାର ରାଉଳ, ସଂଗୀତା ରଥ, ରଶ୍ମି ରଞ୍ଜନ ଦାସ ଓ କଲ୍ୟାଣୀ ନନ୍ଦ ପ୍ରମୁଖ ସ୍ୱରଚିତ ବର୍ଷା ଭିତ୍ତିକ କବିତା ପାଠ କରିଥିଲେ।​କାର୍ଯ୍ୟକ୍ରମର ପରିଚାଳନାରେ ରାମଚନ୍ଦ୍ର ସେଠୀ, ଦେବାଶିଷ ପାଣି, ଡକ୍ଟର ଶତ୍ରୁଘ୍ନ ମଲ୍ଲିକ, ପାର୍ଥସାରଥୀ ଆଶ, ପ୍ରଶାନ୍ତ ପାଢୀ, ଯଶୋଦାନନ୍ଦନ ଆଶ, ଶରତ କୁମାର ମିଶ୍ର ଓ ହିମାଂଶୁ ଦାସ, ରଶ୍ମିରଞ୍ଜନ ଦାସ, ଦିଲ୍ଲୀପ କୁମାର ପଣ୍ଡା, ଶରତ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂସଦର ସାଂସ୍କୃତିକ ସମ୍ପାଦକ ଅମୃତାଂଶୁ ପଟ୍ଟନାୟକ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.