ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ -ରାଜ୍ୟ ସଭାପତି ଅଲଓଡ଼ିିଶା ସିଡ୍ୟୁଲ କାଷ୍ଟ ଫେଡେରେସନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନର୍ଲା ଥାନାର ତିନି ଜଣ ଅଧିକାରୀଙ୍କ ନାମ ରେ ଏତେଲା ଦାଏର କରିଛି ସିଡ୍ୟୁଲ କାଷ୍ଟ ଫେଡେରେସନ। ଅଭିଯୋଗ ହେଉଛି ଅଗଷ୍ଟ ୧୦ ତାରିଖ ଦିନ ନର୍ଲା ଥାନା ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ଗୋହୀରାପଦର ଗ୍ରାମର ନୀଳମଣି ବିନାୟକଙ୍କୁ ଘରୁ ଉଠାଇ ଆଣି ରାତିରେ ନିସ୍ତୁକ ମାଡ ମାରିଛନ୍ତି ତିନି ଥାନା ଅଧିକାରୀ। ସେ ସମୟରେ ତାଙ୍କ ନାମରେ କୌଣସୀ ଏଫଆଇଆର ମଧ୍ୟ ଦାଏର ହୋଇନଥିବା କୁହନ୍ତି ନୀଳମଣି । ସ୍ୱାଧିନତା ଦିବସ ପୂର୍ବରୁ ୧୩ ତାରିଖ ରିଲିଫ ହୋଇ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଥିବା ଆଇଆଇସି ବିଜୟରାଜ ମାଝୀ, ଏଏସଆଇ ଅବନୀ ଖୁରା ଓ ଏଏସଆଇ ପ୍ରଦୀପ ସେଠୀ ତିନିଜଣ ମିଶି ମଦ ପିଇ ରାତିରେ ନିଦା ପ୍ଲାଷ୍ଟିକ ପାଇପରେ ନୀଳମଣିଙ୍କୁ ସାରା ରାତି ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରି ଏହାର ଉଚିତ ନ୍ୟାୟ ଦାବୀ କରିଛି ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ। ବୁଧବାର ସନ୍ଧ୍ୟାରେ ନର୍ଲା ଥାନାରେ ଦାଏର ହୋଇଥିବା ଏତେଲାରୁ ଜଣାପଡିଛି ଯେ ଗତ ଜୁଲାଇ ୨୧ ତାରିଖରେ ଶ୍ରୀ ବିନାୟକ ତାଙ୍କ କାର ଓଡି ୦୩ ଏସ ୭୧୮୨ କୁ ନର୍ଲା ଥାନା ଅଧିନସ୍ଥ ପଲସାପଡା ଗ୍ରାମର କ୍ଷୀରସିନ୍ଧୁ ସୁନାଙ୍କୁ ୭୦ ହଜାର ଟଙ୍କାରେ ବନ୍ଧକ ଦେଇଥିଲେ। ଏବଂ ସର୍ତ୍ତ ରଖିଥିଲେ ମୋର ଏହି କାରକୁ ବାହାରେ ଚଲେଇବ ନାହିଁ। ମୁଁ ଖୁବ ଶିଘ୍ର ତୁମ ଟଙ୍କା ସୁଧ ସହ ଫେରସ୍ତ ଦେବି ବୋଲି। ହେଲେ ଗତ ଅଗଷ୍ଟ ୧୦ ରେ କ୍ଷୀରସିନ୍ଧୁ ଉକ୍ତ କାର ନେଇ ରାସ୍ତାରେ ଯାଉଥିବା ବେଳେ ଶ୍ରୀ ବିନାୟକ ଗୋହିରା ପଦର ପାଖରେ ଗାଡିକୁ ଅଟକାଇ ସେଇଠି କ୍ଷୀରସିନ୍ଧୁ ସହ ପାଟିତୁଣ୍ଡ ହୋଇଥିଲେ। ଏତିକିରେ କିଛି ସମୟ ପରେ ପିସିଆର ଭେନ ଆସି ଶ୍ରୀ ବିନାୟକଙ୍କୁ ଘଉଠାଇ ନେଇ ନର୍ଲା ଥାନାରେ ପେଣ୍ଟ ସାର୍ଟ ଓତାରି, ଉଲଗ୍ନ କରି ନିସ୍ତୁକ ମାଡ ମାରିବା ସହ ଆଇଆଇସି ଶ୍ରୀ ମାଝୀ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିବା ଓ ଜୀବନରେ ମାରିଦେବାର ଧମକ ଦେଇଥିବା, ମୋବାଇଲ ଫୋନ ଭାଙ୍ଗି ଦେଇଥିବା ମଧ୍ୟ ଏଫଆଇଆର ରେ ଉଲ୍ଲେଖ କରିଛନ୍ତି ବିନାୟକ ଦମ୍ପତି। ୧୧ ତାରିଖ ରାତି ୧୧ ଘଣ୍ଟା ସମୟରେ ତାଙ୍କ ସ୍ତ୍ରୀ ନନ୍ଦିତା ସାଧକଙ୍କୁ ଥାନାକୁ ଡକାଇ ମୋର ସ୍ୱାମୀକୁ ସୁସ୍ଥ, ସବଳ ଭାବରେ ଘରକୁ ନେଇଯାଉଛି। ବାକି ଯାହା ହେଲେ ମୁଁ ଦାୟୀ ବୋଲି ଲେଖାଇ ବିନାୟକଙ୍କୁ ଛାଡିଥିବା ଲିଖିତ ଅଭିଯୋଗ ହୋଇଛି। ଏସବୁ ଅନ୍ୟାୟ, ଅନିତି ଓ ଅତ୍ୟାଚାର ବିଷୟରେ ବିନାୟକ ଦମ୍ପତି ଏସପିଙ୍କୁ ଜଣାଇବା ପରେ ଅତିରିକ୍ତ ଏସପି ନର୍ଲା ଥାନାକୁ ଆସି ତଦନ୍ତ କରି ଯାଇଥିଲେ। ଇତି ମଧ୍ୟରେ ୧୦ ଦିନ ବିତି ଯାଇଥିବା ବେଳେ ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନର ରାଜ୍ୟ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ଜିଲ୍ଲା ମହାସଚୀବ ଶତୃଘ୍ନ ନାଏକ, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଉପସଭାପତି ଶୈଳ କୁମାର, ଯୁବ ସଂଯୋଜକ ଦିଲଦିଓ ଘର୍ଡା, ସରପଞ୍ଚ ମନୋଜ କରୁଆଁ, ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ଗହଣରେ ଅଭିଯୋଗକାରୀ ପିଡିତ ନୀଳମଣି ବିନାୟକ ଓ ତାଙ୍କ ଧର୍ମପତ୍ନୀ ନନ୍ଦିତା ସାଧକ ନିସ୍ତୁକ ମାଡମାରି ଥାନା ଭିତରେ କରିଥିବା ଅତ୍ୟାଚାର କୁ ନେଇ ନର୍ଲା ଥାନାର ତିନି ଅଧିକାରୀଙ୍କ ବିରୁଦ୍ଧରେ ନୁୂତନ ଆଇଆଇସି କୈବଲ୍ୟ ସେଠଙ୍କୁ ଏଫଆଇଆର ଦେଇଥିଲେ। ସେ ପୋଲିସ ହୁଅନ୍ତୁ କି ଯିଏ ହୁଅନ୍ତୁ। ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି। ଏକ ଛୋଟିଆ ଭୁଲ ପାଇଁ ଆମ ଦଳିତ ସମାଜର ଜଣେ ନିରୀହ ବ୍ୟକ୍ତିଙ୍କୁ ଥାନା ହାଜତରେ ପୋଲିସ ଅଫିସର ମାନେ ଯେଉଁଭଳି ଅତ୍ୟାଚାର କରିଛନ୍ତି ସେମାନଙ୍କୁ କେବେ କ୍ଷମା କରାଯିବ ନାହିଁ ବୋଲି ସେଡୁଲ କାଷ୍ଟ ଫେଡେରେସନର ରାଜ୍ୟ ସଭାପତି ଶ୍ରୀ ଦିପ ମତ ବ୍ୟକ୍ତ କରିଛନ୍ତି।






