ସାମ୍ବାଦିକତା ସମାଜର ଦର୍ପଣ, ସତ୍ୟ ଓ ନ୍ୟାୟ ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): କଣ୍ଟାବାଞ୍ଜି ପ୍ରେସ କ୍ଲବର ୬ତମ ବାର୍ଷିକ ଉତ୍ସବ ରୟାଲ ତୁଲିପ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ସଭାପତି ପ୍ରଭାଜିତ ସିଂହ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକତାର ଦାୟିତ୍ୱ, ସମାଜ ପ୍ରତି ଗଣମାଧ୍ୟମର ଭୂମିକା ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ନେଇ ଆଲୋଚନା ହୋଇଥିଲା। ଉତ୍ସବରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କଣ୍ଟାବାଞ୍ଜି ନଗରପାଳ ବାରିୟାମ ସିଂହ ସାଲୁଜା ସମ୍ମାନିତ ଅତିଥି ଏବଂ କୋଶଲ ନେତା ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରେସ କ୍ଲବର କୋଷାଧ୍ୟକ୍ଷ କମଲଜିତ୍ ସିଂହ ମାଖିଜା ମଧ୍ୟ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଗଣମାଧ୍ୟମ ହେଉଛି ସମାଜର ଦର୍ପଣ। ସାମ୍ବାଦିକମାନେ ସମାଜର ବିଭିନ୍ନ ସମସ୍ୟା, ଅନ୍ୟାୟ, ଅବ୍ୟବସ୍ଥା ଓ ଲୋକଙ୍କ ଅଭାବ ଅସୁବିଧାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣିବା ସହିତ ଜନସାଧାରଣଙ୍କ ସ୍ୱର ଭାବେ କାର୍ଯ୍ୟ କରୁଛନ୍ତି। ସାମ୍ବାଦିକତାରେ ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ସର୍ବାଧିକ ଗୁରୁତ୍ୱ ଦେଇ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ପ୍ରେସ କ୍ଲବ ସମ୍ପାଦକ ସୁରଦାସ ବାଗ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ। ସ୍ୱର୍ଗତ ଗୁଲଜାରିଲାଲ ବର୍ମା ସମ୍ମାନ, ମୌଜା ଆଧାର ଶର୍ମା ସମ୍ମାନ ଏବଂ ସ୍ୱର୍ଗତ ଅଶୋକ ନାରାୟଣ ଭୋଇ ସମ୍ମାନ, ରମେଶ ଚନ୍ଦ୍ର ଶର୍ମା ସମ୍ମାନରେ ଅବସର ପ୍ରାପ୍ତ ଶିକ୍ଷକ ବିଭୁଦତ୍ତ ସାହୁ, ଡାକ୍ତର ପ୍ରତାପ କୁମାର ସାହୁ, ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ଶିକ୍ଷାବିତ ରାଜେଶ ମହାନ୍ତି ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଅନେକ ବ୍ୟକ୍ତିଙ୍କ ସମ୍ମାନିତ କରାଯାଇଥିଲା। ପ୍ରେସ କ୍ଲବର ୬ ବର୍ଷର ଯାତ୍ରାରେ ସାମ୍ବାଦିକ ମାନଙ୍କ ଏକତା, ସାମାଜିକ ଦାୟିତ୍ୱ ଏବଂ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ପ୍ରମୁଖତାର ସହ ଉଠାଇବା ଦିଗରେ କ୍ଲବର ଭୂମିକା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ କଣ୍ଟାବାଞ୍ଜି ଅଞ୍ଚଳର ବିକାଶ, ଜନସମସ୍ୟା ଓ ସାମାଜିକ ସଚେତନତା କ୍ଷେତ୍ରରେ ପ୍ରେସ କ୍ଲବ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଥିଲା। ଏହି ଅବସରରେ ପ୍ରେସ କ୍ଲବର ଉପସଭାପତି ମନୋଜ ଶର୍ମା, ଅନିଲ ତ୍ରିପାଠୀ, ଅଫିସ ସମ୍ପାଦକ ବିଶିକେଶନ ମାଝି, ପରାମର୍ଶଦାତା ଆଶିଷ ଖଇତାନ, ଦୁର୍ଗାପ୍ରସାଦ ଗୁପ୍ତା, ଶ୍ରୀବତ୍ସ ବେହେରା, ଆନନ୍ଦ ମୋଟେ, ଆଇନ ପରାମର୍ଶଦାତା ବିବେକ ଶର୍ମା, ସଦସ୍ୟ ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ଗଣେଶ ଦାସ, ସୁବ୍ରତ ମହାକୁର, କମଳ ଅଗ୍ରୱାଲ, ଅମିତ ଶର୍ମା, ପ୍ରତିରଞ୍ଜନ ଦାଶ, ସୈଳୁ ଜୈନ, ଅମରେଶ ମାଝି, ପ୍ରଫୁଲ୍ଲ ବଘାର, ଲକ୍ଷ୍ମୀଧର ଧରୁଆ ସହ ପ୍ରେସ କ୍ଲବର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଉତ୍ସବ ଅବସରରେ ପ୍ରେସ କ୍ଲବ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଏକତାର ପରିବେଶ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ମାଧ୍ୟମରେ ଅଞ୍ଚଳବାସୀଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇବା ସହ ସମାଜର ହିତ ପାଇଁ ପ୍ରେସ କ୍ଲବ ନିଜର ଦାୟିତ୍ୱ ଜାରି ରଖିବ ବୋଲି ଉତ୍ସବରେ ପ୍ରକାଶ ପାଇଥିଲା। ଶେଷରେ ଉପ ସଭାପତି ମନୋଜ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ।






