ସୁବର୍ଣ୍ଣରେଖା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ରବୀନ୍ଦ୍ର ଜେନା : ପ୍ରଶାସନକୁ ତ୍ୱରିତ ପଦକ୍ଷେପ ପାଇଁ ଆହ୍ୱାନ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖା ନଦୀରେ ବୁଧବାର ରାତିରୁ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ପ୍ରାୟ ୧୯ଟି ପଞ୍ଚାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ଜନବସତିରେ ପଶିଯିବା ଯୋଗୁଁ ବ୍ୟାପକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ପୂର୍ବତନ ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନା ଗୁରୁବାର ଦିନସାରା ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଓ ବସ୍ତା ବ୍ଲକର ବିଭିନ୍ନ ବନ୍ୟାପ୍ଳାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗସ୍ତ ଆରମ୍ଭରେ ଶ୍ରୀ ଜେନା ବାଲିଆପାଳ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ସହ ବ୍ଲକର ସାମ୍ପ୍ରତିକ ବନ୍ୟା ପରିସ୍ଥିତି, ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀ ସହାୟତା ପହଞ୍ଚାଇବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପରେ ସେ ପ୍ରଭାବିତ ଅସ୍ତି, ବାଲିଆପାଳ, ମଧୁପୁରା ଓ ଜାମକୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁ ବୁଲି ବନ୍ୟାପୀଡ଼ିତଙ୍କୁ ଭେଟିଥିଲେ। ବିପନ୍ନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତୁରନ୍ତ ଉଦ୍ଧାର କାର୍ଯ୍ୟ, ରିଲିଫ୍ ଓ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ, ବିଶୁଦ୍ଧ ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ଗୁରୁତ୍ୱାରୋପ କରିଥିଲେ। ସେହିପରି ଅପରାହ୍ନରେ ଜଳକା ଓ ପଳପଳା ନଦୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ବସ୍ତା ବ୍ଲକର ସାହାଡ଼ା ଏବଂ ଇଡ଼ିଦା ପଞ୍ଚାୟତ ପରିଦର୍ଶନ କରି ଶ୍ରୀ ଜେନା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସେ ଲୋକଙ୍କ ଦୁର୍ଦ୍ଦଶା, ପାନୀୟଜଳର ସମସ୍ୟା, ଯୋଗାଯୋଗ ବିଚ୍ଛିନ୍ନତା ତଥା ଫସଲ କ୍ଷୟକ୍ଷତି ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହୋଇଥିଲେ। ଏଥିସହ ଚାଷଜମି କ୍ଷୟକ୍ଷତିର ସଠିକ୍ ଆକଳନ କରି ଯଥାଶୀଘ୍ର ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜେନାଙ୍କ ସହିତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବରିଷ୍ଠ ନେତୃବୃନ୍ଦ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।





