ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା। ଏହି ଦିନ ରକ୍ଷା ବନ୍ଧନ ଉତ୍ସବ। ଭଉଣୀ ଚାତକ ପରି ଚାହିଁ ରହିଥାଏ ଏହି ଦିନଟିକୁ। ଭାଇ ହାତରେ ରାକ୍ଷୀ ବାନ୍ଧିବ। ଭାଇ ଭଉଣୀକୁ ମନ ପସନ୍ଦର ଉପହାର ଦେବ। ରାକ୍ଷୀର ପ୍ରତି ବଦଳରେ ଭଉଣୀକୁ ସବୁ ସମୟରେ ରକ୍ଷା କରିବା ପାଇଁ ଭାଇ ବଦ୍ଧ ପରିକର ରହିବ। ରକ୍ଷା ବନ୍ଧନ ଉତ୍ସବକୁ ଦୃଷ୍ଟିରେ ରଖି ନର୍ଲା ର ରାକ୍ଷୀ ବ୍ୟବସାୟୀ ମାନେ ଭଳିକି ଭଳି, ରଙ୍ଗ ବେରଙ୍ଗର ରାକ୍ଷୀର ସମ୍ଭାର ନେଇ ପସରା ମେଲେଇ ବସିଛନ୍ତି ନର୍ଲା ମାର୍କେଟ ରେ। ରାକ୍ଷୀ ସମ୍ଭାରରେ ଝଲସି ଉଠୁଛି ନର୍ଲା ମାର୍କେଟ। ନର୍ଲା ମାର୍କେଟର ବସଷ୍ଟାଣ୍ଡ,ଚାରିଛକ, ନର୍ଲାରୋଡ ପ୍ରଭୃତି ସ୍ଥାନରେ ଭଳିକି ଭଳି ସଜ୍ଜିତ ରାକ୍ଷୀ ଷ୍ଟଲ ଗୁଡିକ ଖୋଲିଥିବା ଏବଂ ସକାଳୁ ସଂଧ୍ୟା ଯାଏଁ ରାକ୍ଷୀ ଷ୍ଟଲ ଗୁଡିକରେ ମହିଳା ମାନଙ୍କ ଭିଡ ପରିଲକ୍ଷୀତ ହେଉଥିବା ଦୃଶ୍ୟମାନ ହେଉଛି।ଆଗ ଭଳି ପାରମ୍ପାରିକ ରାକ୍ଷୀ ବ୍ୟତିରେକ ଏବେ ଯୁଗପଯୋଗୀ ମୟୁର ଚନ୍ଦ୍ରିକା ରାକ୍ଷୀ, ରୁପା ରାକ୍ଷୀ, ମଖମଲ ରାକ୍ଷୀ ଭଳି ବହୁମୂଲ୍ୟ ରାକ୍ଷୀ ଗୁଡିକ ମଧ୍ୟ ନର୍ଲାରେ ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁଛି। ଅଗଷ୍ଟ ୨୭ ଗୁରୁବାର ଦିନ ରକ୍ଷା ବନ୍ଧନ ଉତ୍ସବ ରହିଥିବାରୁ ରାକ୍ଷୀ ଦୋକାନ ଗୁଡିକରେ ଭିଡ କ୍ରମଶଃ ବଢିବାରେ ଲାଗିଛି। ରକ୍ଷା ବନ୍ଧନ ଉତ୍ସବ ପାଇଁ ମିଠା ଦୋକାନ ଗୁଡିକରେ ମଧ୍ୟ ଭିଡ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଶ୍ରାବଣ ମାସରେ ଲଗାଣ ବର୍ଷା ଯୋଗୁଁ ରାକ୍ଷୀ ବଜାରରେ ଏହାର ମଧ୍ୟ ପ୍ରଭାବ ପଡିଥିବା ଜଣାପଡିଛି। ରକ୍ଷା ବନ୍ଧନ ଉତ୍ସବ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା। ଏଥିପାଇଁ ମିଠା ଦୋକାନ ସାଙ୍ଗକୁ କପଡା ଦୋକାନ ଗୁଡିକରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଛି।





