ୟୁଜି ଓ ପିଜି ପାଠ୍ୟକ୍ରମ ସହ ମାଗଣାରେ ମିଳିବ ପାଠ୍ୟପୁସ୍ତକ
ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): କାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତଥା ସେମାନଙ୍କ ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ଜେଲ୍ରେ ଥିବା ଯୋଗ୍ୟ ଅନ୍ତେବାସୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ କାରାଗାର ଓ ସୁଧାର ସେବା ନିର୍ଦ୍ଦେଶାଳୟ ମଧ୍ୟରେ ଏକ ଅଣ-ଆର୍ଥିକ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ଏହି ଚୁକ୍ତିନାମା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଡିଷ୍ଟାନ୍ସ ଆଣ୍ଡ ଅନଲାଇନ୍ ଏଜୁକେସନ୍ ଜରିଆରେ ଅନ୍ତେବାସୀମାନଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ। ଏଥିସହ ସେମାନଙ୍କ ଅଧ୍ୟୟନ ନିମନ୍ତେ ଆବଶ୍ୟକୀୟ ପାଠ୍ୟ ଉପକରଣ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ।ଅନ୍ତେବାସୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ଜାଗ୍ରତ କରିବା ଏବଂ କାରାମୁକ୍ତି ପରେ ସେମାନେ ଯେପରି ସମ୍ମାନଜନକ ଭାବେ ଜୀବିକା ନିର୍ବାହ କରିପାରିବେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି।
ପାଠ୍ୟକ୍ରମ ଚୟନ, ନାମଲେଖା, ପରୀକ୍ଷା ପରିଚାଳନା ତଥା ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟା ଉପରେ ନଜର ରଖିବାକୁ ଏକ ଯୁଗ୍ମ ପରିଚାଳନା କମିଟି ଗଠନ କରାଯିବ।
ଏହି ଅବସରରେ ରାଜ୍ୟ କାରାଗାର ଓ ସୁଧାର ସେବା ମହାନିର୍ଦ୍ଦେଶକ ଆଇପିଏସ୍ ସୁଶାନ୍ତ କୁମାର ନାଥ କହିଛନ୍ତି ଯେ, କାରାଗାର କେବଳ ଦଣ୍ଡବିଧାନର କେନ୍ଦ୍ର ନୁହେଁ, ବରଂ ଏହା ଏକ ସଂସ୍କାରଶାଳା। ଉତ୍କଳ ବିଶ୍ୱବିଦ୍ୟାଳୟ ସହ ହୋଇଥିବା ଏହି ଏମଓୟୁ ଅନ୍ତେବାସୀଙ୍କୁ ଏକ ନୂତନ ଦିଗ୍ଦର୍ଶନ ଦେବ।
ସେହିପରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି ଯେ, ଶିକ୍ଷା ହିଁ ସମାଜ ସଂସ୍କାରର ଶ୍ରେଷ୍ଠ ମାଧ୍ୟମ। ମୁଖ୍ୟସ୍ରୋତରୁ ଦୂରେଇ ରହିଥିବା ଜେଲ୍ ଅନ୍ତେବାସୀଙ୍କ ନିକଟରେ ଉଚ୍ଚଶିକ୍ଷା ପହଞ୍ଚାଇବା ବିଶ୍ୱବିଦ୍ୟାଳୟର ସାମାଜିକ ଉତ୍ତରଦାୟିତ୍ୱ। ଏହା ସେମାନଙ୍କ ଭବିଷ୍ୟତ ପୁନଃନିର୍ମାଣରେ ସହାୟକ ହେବ। ସିଡିଓଇ ନିର୍ଦ୍ଦେଶକ ଡ. ସୁଜିତ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ନାମଲେଖା ଠାରୁ ଆରମ୍ଭ କରି ପରୀକ୍ଷା ଓ ପ୍ରମାଣପତ୍ର ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଏକ ଯୁଗ୍ମ କମିଟି ଜରିଆରେ ସୁଚାରୁରୂପେ ସମ୍ପାଦନ କରାଯିବ।





