ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି।ଏଥି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ଜିଲାରେ ୨୯୪.୧ ମିମି ବର୍ଷା ହୋଇଥିବାବେଳେ ଥୁଆମୂଳ ରାମପୁର ବ୍ଳକ୍ ରେ ସର୍ବାଧିକ ୭୨ ମିମି ବର୍ଷା ରେକର୍ଡ ଆକଳନ କରାଯାଇଛି। ବର୍ଷା ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାର ସମସ୍ତ ସରକାରୀ/ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବୁଧବାର ଓ ଗୁରୁବାର ଛୁଟି ଘୋଷଣା କରିଥିଲେ ଜିଲାପାଳ। ତେବେ ଶୁକ୍ରବାର ମଧ୍ୟ ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନକରି ଜିଲାପାଳ ଜିଲାର ସମସ୍ତ ସରକାରୀ/ବେସରକାରୀ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ପାୱାର ସଚିନ ପ୍ରକାଶ। ବର୍ଷା ଯୋଗୁ ଲଗାତାର ୩ ଦିନ ଜିଲାରେ ଛୁଟି ହେଲାଣି। ବର୍ତ୍ତମାନ ମଧ୍ୟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏପରି ସ୍ଥଳେ ଜୁନାଗଡ଼ ସହର ଫତେନଗର ପଡା ମୁଖ୍ୟ ରାସ୍ତା ଏବେ କୁତ୍ରିମ ନଦୀ ସଦୃଶ୍ୟ ହୋଇଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଫେଲ ଥିବାରୁ ବର୍ଷା ହେଲେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଥାଏ। ଯାହାକୁ ନେଇଁ ସ୍ଥାନୀୟ ପଡ଼ାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।





