ଭୁଶୁଡିଲା ଘର: ରାସ୍ତା ଉପରେ ପଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ଛିଣ୍ଡିଲା ତାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ୩ ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଲାଞ୍ଜିଗଡ଼ ବ୍ଲକର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷାର ପ୍ରଭାବରେ ଅନେକ ସ୍ଥାନରେ କଚା ମାଟି ଘରର କାନ୍ଥ ଭିଜି ଭୁଶୁଡି ପଡିଛି। ବିଶେଷ କରି ମାଟି ଘର ସବୁ ଭାଙ୍ଗି ଯାଇଥିବା ଖବର ମିଳିଛି। ଲୋକେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଚାଷ ଜମିରେ ୨ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।ଭବାନୀପାଟଣା – ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରୀ ଘାଟି ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ପଞ୍ଚାୟତର ରାସ୍ତା ଘାଟ ସବୁ ବେହାଲ ହୋଇଛି। ପ୍ରବଳ ପବନ ଓ ବର୍ଷାରେ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଓ ତାର ଚିଣ୍ଡି ଯାଇଛି। ଫଳରେ ଲାଞ୍ଜିଗଡ଼ ବ୍ଲକର ଅଧାରୁ ଅଧିକ ପଞ୍ଚାୟତରେ ଗତକାଲି ରାତିରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।





