ଇନ୍ଦୁ ପୂର୍ଣ୍ଣିମାରେ ଇନ୍ଦ୍ର ଗୋବିନ୍ଦ ପୂଜା

ଭାଦ୍ରବ ମାସରେ ଗୋଟିଏ ବିଶେଷ ପର୍ବ ପଡ଼େ ଯାହା ଇନ୍ଦ୍ର ଗୋବିନ୍ଦ ପୂଜା ଭାବେ ଖ୍ୟାତ l ଏହି ପର୍ବ ଭାଦ୍ରବ ପୂର୍ଣ୍ଣିମା, ଇନ୍ଦୁ ବା ଇନ୍ଦ୍ର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ l ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀରେ ଅନୁଷ୍ଠିତ ହେଉଥିବା ‘ଇନ୍ଦ୍ରଧ୍ୱଜ ପୂଜା’ ସହିତ ଏହାର ସମ୍ପର୍କ ରହିଛି l
ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦାନଵ ମାନଙ୍କଦ୍ୱାରା ସ୍ୱର୍ଗରାଜ୍ୟରୁ ବିତାଡ଼ିତ ଦେବରାଜ ଇନ୍ଦ୍ର ଭଗବାନ ବିଷ୍ଣୁଙ୍କ ଶରଣ ଭିକ୍ଷା କଲେ l ଶ୍ରୀ ବିଷ୍ଣୁ ତାଙ୍କୁ ଗୋଟିଏ ଧ୍ୱଜ ପ୍ରଦାନକରି ଆଶ୍ୱାସନା ଦେଲେ ଏ ଧ୍ୱଜ ତୁମକୁ ଦୈତ୍ୟଗଣଙ୍କ ବିନାଶରେ ସହାୟକ ହେବ l ଯେଉଁ ରାଜା ଏହି ଧ୍ୱଜକୁ ପୂଜା କରିବେ, ତାଙ୍କର ରାଜ୍ୟ ଶସ୍ୟପୂର୍ଣ୍ଣ ହେବ ଏବଂ ପ୍ରଜା ବୃଦ୍ଧି ପାଇବେ l ପ୍ରଜା ମାନେ ମଧ୍ୟ ନିରୋଗ ରହିବେ l ଏଣୁ ରାଜତନ୍ତ୍ର ଶାସନ କାଳରେ ଏହି ‘ଇନ୍ଦ୍ରଧ୍ୱଜ ପୂଜା’ ରାଜା ମହାରାଜା ମାନଙ୍କ ଦ୍ୱାରା ମହା ଆଡ଼ମ୍ବରରେ ପାଳିତ ହେଉଥିଲା l ରାଜ୍ୟର ବିଘ୍ନ ଶାନ୍ତି ତଥା ପ୍ରଜା ମାନଙ୍କର ମଙ୍ଗଳ ନିମନ୍ତେ ରାଜାମାନେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଧ୍ୱଜଦଣ୍ଡ ସ୍ଥାପନା କରୁଥିଲେ l କିନ୍ତୁ ରାଜତନ୍ତ୍ରର ବିଲୋପ ସହ ଏହା ମଧ୍ୟ ବିଲୟ ଲଭିଛି l ରାଜ ପରିବାର ଗୁଡ଼ିକ ବର୍ତ୍ତମାନ ଏହି ପୂଜାକୁ ଏକ ପ୍ରତୀକାତ୍ମକ ପୂଜା ଭାବେ ପାଳନ କରୁଛନ୍ତି l ଶ୍ରୀମନ୍ଦିରରେ ମଧ୍ୟ ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଏହି ଇନ୍ଦ୍ରଧ୍ୱଜ ପୂଜା ହୋଇଥାଏ l ସେଦିନ ସଂଧ୍ୟା ଧୂପ ପରେ, ସ୍ନାନବେଦୀ ପାଖ ଚାହାଣି ମଣ୍ଡପରେ କୋଠ ସୁଆଁସିଆ ସେବକ ମାନେ ସାତ ମେଘଙ୍କୁ ବାଉଁଶରେ ତିଆରି କରି ଏକ କାଠ ଗୟଳରେ ବାନ୍ଧନ୍ତି l ଏହାର ଏକ ପୌରାଣିକ ପୃଷ୍ଠଭୂମି ଅଛି l
ପୁରାଣରେ ସମ୍ବର୍ତ୍ତକ, ଆବର୍ତ୍ତକ, ପୁଷ୍କର ଓ ଦ୍ରୋଣ ଚାରିମେଘଙ୍କର ବର୍ଣ୍ଣନା ରହିଛି l ଭାଗବତ କଥା ଅନୁସାରେ ଗୋକୁଳରେ ଗୋପାଳ ମାନେ କୃଷ୍ଣଙ୍କ କଥାରେ ଇନ୍ଦ୍ରପୂଜା ବନ୍ଦ କରିଦେବାରୁ ଦେବରାଜ ଇନ୍ଦ୍ର କୁପିତ ହୋଇ ସାତ ଦିନ ଵର୍ଷା କରିଥିଲେ l ଭାଗବତରେ ଏହି କଥା କୁହା ଯାଇଛି :- ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା। ସପତ ଦିନ ବରଷିଲା।।

ଶାସ୍ତ୍ର ମାନଙ୍କରେ ଚାରି ମେଘଙ୍କ ବର୍ଣ୍ଣନା ରହିଥିବା ବେଳେ ଭାଗବତର ବାଳକୃଷ୍ଣଙ୍କ ଗୋବର୍ଦ୍ଧନ ଗିରି ଧାରଣ ଉପାଖ୍ୟାନରେ ସାତ ମେଘଙ୍କର ବର୍ଣ୍ଣନା ରହିଛି l କୋଠ ସୁଆଁସିଆଙ୍କ ପ୍ରସ୍ତୁତ ହୋଇଥିବା ବାଉଁଶର ସାତ ମେଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେଇଠି ବନ୍ଧା ହୋଇ ରହି ଥାନ୍ତି l ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଥାଏ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା l ସେଦିନ ହରଚଣ୍ଡୀ ସାହି ଆଖଡ଼ା ଅନ୍ତର୍ଗତ ବାସେଳୀ ସାହିରୁ ଇନ୍ଦ୍ରଙ୍କ ହାତୀ ଐରାବତର ପ୍ରତିମା ଆସେ l ଐରାବତ ହାତୀ ପୃଷ୍ଠରେ ଇନ୍ଦ୍ର ଆରୂଢ ହୋଇ ଆସି ଶ୍ରୀମନ୍ଦିରରେ ଇନ୍ଦ୍ରଗୋବିନ୍ଦ ବନ୍ଦାପନା ଅନୁଷ୍ଠିତ ହୋଇଥାଏ l
ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋକୁଳରେ ଇନ୍ଦ୍ରପୂଜା ବନ୍ଦ କରାଇ ଦେବାରୁ ଇନ୍ଦ୍ର ସାତଦିନ ଧରି ମୁଷଳ ଧାରାରେ ବର୍ଷା କରି ଥିଲେ l କିନ୍ତୁ ଶ୍ରୀକୃଷ୍ଣ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଟେକିଧରି ଗୋପ ପୁରକୁ ରକ୍ଷା କରିଥିଲେ l

ଶ୍ରୀମଦ ଭାଗବତରେ କୁହାଯାଇଛି :-
ପର୍ବତ ଥିଲା ନଦୀତୀରେ। ଗୋବିନ୍ଦ ଉପାଡ଼ିଲେ ହେଳେ।।
ଅଚଳ ମୃତବନ୍ତ ହୋଇ। ଶ୍ରୀଭୁଜେ ବସିଲାକ ଯାଇ।।
ଛତ୍ର ପ୍ରାୟେକ ଗିରି ତୋଳି। ଡ଼ାକନ୍ତି ପ୍ରଭୁ ବନମାଳୀ।।
ହେ ତାତ ମାତ ଗୋପବାଳେ। ବହନ ପଶ ଗିରିତଳେ।।

ଶ୍ରୀକୃଷ୍ଣ ଏହି ସମୟରେ ମାତ୍ର ସାତବର୍ଷ ବୟସର ବାଳକ ଥିଲେ l କବି ମାର୍କଣ୍ଡ ଦାସ ତାଙ୍କ କେଶବ କୋଇଲି କବିତାରେ କହିଛନ୍ତି :-
କୋଇଲି ସପତ ଦିନ ଇନ୍ଦ୍ର ବୃଷ୍ଟି କଲା।
ସପତ ବରଷ ପୁତ୍ର ମନ୍ଦର ଧଇଲା।।
ମେଘ, ବତାସ ଆଦି ବିତ୍ପାତ ଦ୍ୱାରା ଗୋପ ପୁରକୁ ଉଜାଡ଼ି ଦେବା ସଂକଳ୍ପ, ଦେବରାଜ ଇନ୍ଦ୍ରଙ୍କର ପଣ୍ଡ ହେଲା l ତାଙ୍କର ଗର୍ବ ଚୂର୍ଣ୍ଣ ହେଲା l ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର କୃଷ୍ଣଙ୍କ ଶରଣ ପଶିଲେ l
ସେ ଶ୍ରୀକୃଷ୍ଣଙ୍କୁ ଗୋବିନ୍ଦ ବୋଲି ନାମ ଦେଲେ ଓ ତାଙ୍କର ବନ୍ଦନା କଲେ l ଶ୍ରୀମଦ ଭାଗବତରେ କୁହା ଯାଇଛି :-
ତୁ ନାଥ ଗୋକୁଳର ଇନ୍ଦ୍ର l
ନାମ ମୁଁ ଦେବଇଁ ଗୋବିନ୍ଦ ll
ସୁରଭି କ୍ଷୀର ବରଷିଲା l
ଗୋବିନ୍ଦବୋଲି ନାମ ଦେଲା ll

ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନୋଜ୍ଞ ଗୋବର୍ଦ୍ଧନ ଧାରଣ ଓ ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ କଥାବସ୍ତୁ ଆଧାରରେ ମନେ ହୁଏ ପାଳିତ ହୁଏ ଶ୍ରୀମନ୍ଦିରରେ ଏହି ଇନ୍ଦ୍ରଗୋବିନ୍ଦ ପୂଜା ଏବଂ ବନ୍ଦାପନା ନୀତି l

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.