ନୂଆପଡ଼ାରେ ସ୍ୱଚ୍ଛତା ନିୟମ ଉଲ୍ଲଂଘନ ବିରୋଧରେ କଡ଼ା ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଏନ୍‌ଏସି ଅଞ୍ଚଳରେ ସ୍ୱଚ୍ଛତା ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଅନୁପାଳନ ସୁନିଶ୍ଚିତ କରିବା ନେଇ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରାଯାଇଛି। ଏହି କ୍ରମରେ ନିୟମ ଉଲ୍ଲଂଘନ ଓ ସ୍ୱଚ୍ଛତା ଟିମ୍‌କୁ ଅସହଯୋଗ କରିଥିବା ଅଭିଯୋଗରେ ନୂଆପଡ଼ା ଏନ୍‌ଏସି ଅଞ୍ଚଳର ଏକ ପୂଜା ସାମଗ୍ରୀ ଦୋକାନକୁ ସିଲ୍ କରାଯାଇଛି। ସ୍ୱଚ୍ଛତା ପ୍ରବର୍ତ୍ତନ ଅଭିଯାନ ସମୟରେ ସମ୍ପୃକ୍ତ ଦୋକାନରେ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ସମ୍ବନ୍ଧୀୟ ନିୟମର ଅନୁପାଳନ ହେଉନଥିବା ଜଣାପଡ଼ିଥିଲା। ଏହାସହ ପ୍ରବର୍ତ୍ତନ କାର୍ଯ୍ୟ ସମୟରେ ଦୋକାନ ମାଲିକ ଏନ୍‌ଏସିର ଅଧିକାରୀ ଓ କର୍ମଚାରୀଙ୍କ ସହ ଅସଦାଚରଣ କରିବା ସହ ନିରୀକ୍ଷଣ ଓ ନିୟମାନୁପାଳନ ପ୍ରକ୍ରିୟାରେ ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା। ନିୟମ ଅନୁପାଳନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସହଯୋଗ ନ କରିବା ଓ ପ୍ରବର୍ତ୍ତନ କାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଓ ପ୍ରଯୋଜ୍ୟ ନିୟମ ଅନୁଯାୟୀ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇ ଦୋକାନଟିକୁ ସିଲ୍ କରାଯାଇଛି। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ପାଇଁ ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଜ୍ୟ ହସ୍ତାନ୍ତର ଏବଂ ସାର୍ବଜନୀନ ସ୍ଥାନକୁ ପରିଷ୍କାର ରଖିବା ନେଇ ପ୍ରଶାସନ ପକ୍ଷରୁ ସଚେତନତା, ନିୟମିତ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି। ନିୟମ ପାଳନ କରିବା ସହ ସ୍ୱଚ୍ଛତା ଟିମ୍‌ର କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ଏହି ପ୍ରବର୍ତ୍ତନ କାର୍ଯ୍ୟ ସମୟରେ ତହସିଲଦାର ଲଳାତେନ୍ଦୁ ଦଣ୍ଡସେନା, ଆର୍‌ଏମ୍‌ସି ଖରିଆର ରୋଡ୍‌ର ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି, ଓରମାସ୍‌ର ଡେପୁଟି ସିଇଓ ବିଦେଶ ଘୋଷ, ଡିଆର୍‌ସି ଅନିଲ କୁମାର ଲେଙ୍କା, ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ ସ୍ୱଚ୍ଛତା ଟିମ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ନୂଆପଡ଼ା ଗଠନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଚେତନତା, ସହଯୋଗ ଓ ପ୍ରବର୍ତ୍ତନକୁ ଗୁରୁତ୍ୱ ଦେଇ ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.