ରାଜଧାନୀରେ ବିଜେଡ଼ିର ପ୍ରତିବାଦ ସଭା; ଯୋଗଦେଲେ ନର୍ଲା ବିଧାୟିକା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡି ନବୀନ ସରକାରଙ୍କ ୨୪ ବର୍ଷ ସୁଶାସନ ଦେଇଥିବାବେଳେ ବିଜେପି ଡବଲ ଇଞ୍ଜିନ ସରକାର ମୋହନ ମାଝୀ ରାଜ୍ୟରେ ସୁଶାସନ ଦେବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ। ନାରୀ ନିର୍ଯ୍ୟାତନା ଠୁଁ ଆରମ୍ଭ କରି ନିଟ ପ୍ରଶ୍ନପତ୍ର ଲିକ ଭଳି କାର୍ଯ୍ୟ ଯୋଗୁଁ ସରକାର ବିଫଳ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ବିଜେଡି ସବୁବେଳ ପ୍ରତିବାଦ କରି ଆସୁଛି। ଏହି କ୍ରମରେ ବିଜେପି ରାଜ୍ୟ ସରକାର ସଂଶୋଧିତ ଖଣି ଆଇନ ଲାଗୁ କରିଥିବାରୁ ଏହାର ଦୃଢ ବିରୋଧ କରି ଏହାର ପ୍ରତ୍ୟାହାର ଦାବୀ କରିଛି ବିରୋଧୀ ବିଜେଡି। ଆଜି ରାଜଧାନୀ ଲୋୟର ପିଏମଜି ଠାରେ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚାସୀନ ବିଜେଡିର ତୁଙ୍ଗ ନେତା ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଟୁନୁନି ସାହୁ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ପ୍ରମୁଖଙ୍କ ସମେତ ଅନେକ ବିଧାୟକ ବିଧାୟିକା ଉପସ୍ଥିତ ରହି ବିଜେପି ସରକାର ର ଖଣି ଲୁଟ ନୀତି ଉପରେ ବର୍ଷିଥିଲେ। ଏହି ପ୍ରତିବାଦ ସଭାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଉପସ୍ଥିତ ରହି ରାଜ୍ୟ ମୋହନ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସଭାରେ ମୋହନ ମାଝୀ ସରକାରଙ୍କ ଦୋମୁହାଁ ନୀତିକୁ ପ୍ରତିବାଦ କରିବା ପାଇଁ ନର୍ଲା ବିଧାୟିକାଙ୍କ ନେତୃତ୍ୱରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ସମୀର ରାଉତ, ଗୋବିନ୍ଦ ତାଣ୍ଡି, ସୁଦର୍ଶନ ଦୋରା ଙ୍କ ସମେତ ନର୍ଲା ନିର୍ବାଚନ ମଣ୍ଡଳୀର ୨୦ ରୁ ଊର୍ଦ୍ଧ୍ବ ସରପଞ୍ଚ, ସମିତି ସଦସ୍ୟ ଓ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ବିଜେପି ସରକାରଙ୍କ ମନମୁଖୀ ଶାସନ ଓ ଅନ୍ୟାୟ ଅନୀତି ବିରୁଦ୍ଧରେ ସବୁବେଳେ ସବୁ ସମୟରେ ଆମେ ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବୁ, ଅନ୍ୟାୟକୁ ବରଦାସ୍ତ କରାଯିବନି ବୋଲି ମତବ୍ୟକ୍ତ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.