ମୁମ୍ବାଇରେ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ପଶ୍ଚିମ ଓଡ଼ିଶା ପରିବାର (POP) ମୁମ୍ବାଇ ପକ୍ଷରୁ ଦାଦର ସ୍ଥିତ ସ୍ୱାତନ୍ତ୍ର୍ୟବୀର ସାଭରକର ଅଡିଟୋରିୟମ୍‌ରେ ବେଶ୍ ଉତ୍ସାହ ଏବଂ ଆନନ୍ଦର ସହ ‘ନୂଆଖାଇ ଭେଟଘାଟ’ ପାଳିତ ହୋଇଯାଇଛି। ପି.ଓ.ପି. ପକ୍ଷରୁ ଏହା ଥିଲା ୨୦ତମ ସଂସ୍କରଣ। ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ (DGP) ଶ୍ରୀ ସଦାନନ୍ଦ ଦାତେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ଏଲ୍.ଆଇ.ସି. (LIC) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଅତିଥି ମିଳିତ ଭାବେ ସ୍ମରଣିକା “ଜୁହାର”ର ୧୪ତମ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ମୁମ୍ବାଇରେ ପ୍ରବାସୀ ଓଡ଼ିଆମାନେ ନିଜର ସାଂସ୍କୃତିକ ପର୍ବପର୍ବାଣୀ ଏବଂ ଲୋକନୃତ୍ୟ କାର୍ଯ୍ୟକ୍ରମ ଆନନ୍ଦର ସହ ପାଳନ କରୁଥିବାରୁ ଶ୍ରୀ ଦାତେ ସନ୍ତୋଷ ପ୍ରକାଶ କରିଥିଲେ।‌ ଓଡ଼ିଶାର ଅବହେଳିତ ତଥା ଅସହାୟ ଲୋକଙ୍କ ପାଇଁ ‘ଜୁହାର ଫାଉଣ୍ଡେସନ୍’ ଦ୍ୱାରା କରାଯାଉଥିବା ସମାଜସେବା କାର୍ଯ୍ୟକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିବା ସହ ଏଲ୍.ଆଇ.ସି. (LIC) ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୁଇସିଂହାର ‘ସଙ୍ଗୀତ ସାଧନା ନୃତ୍ୟାନୁଷ୍ଠାନ’ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପି.ଓ.ପି.ର ସଦସ୍ୟମାନେ ଏକ ସମ୍ବଲପୁରୀ ଫ୍ୟାସନ୍ ଶୋ’ରେ ଅଂଶଗ୍ରହଣ କରିଥିଲେ। ଶ୍ରୀକାନ୍ତ ଚାଟାର୍ଜୀ, ଦୀପକ ପୂଜାରୀ ଏବଂ କବିତା ସାହାନୀ କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ। ମୁମ୍ବାଇ ମହାନଗରୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.