ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉତ୍କଳ ସଂସ୍କୃତ ମହାସଂଘ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ବ୍ରଜମୋହନ ସରକାରୀ ହାଇସ୍କୁଲର ସମ୍ମେଳନ କକ୍ଷରେ ବିଶ୍ୱ ସଂସ୍କୃତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଘର ଜଲ୍ଲା ସଭାପତି ତଥା ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁବାସ ଚନ୍ଦ୍ର ବରାଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସହ ଶିକ୍ଷାଧିକାରୀ ତପିମଣି ଜାନୀ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବ୍ରଜ ମୋହନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠି ଝାଙ୍କର, ମୁଖ୍ୟ ବକ୍ତା ଭାବରେ ଗୋପାଳ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦାନ କରି ସଂସ୍କୃତ ଭାଷାର ମହତ୍ୱ, ସଂସ୍କୃତ ଭାଷାକୁ ସାରା ବିଶ୍ୱ କିଭଳି ସ୍ୱିକାର କରି ସାରିଛି। ଆମର ପୁର୍ବ ପୁରୁଷଙ୍କ ମୂଳ ଭାଷା ରହି ଆସିଥିବା ସଂସ୍କୃତ ଧିରେ ଧିରେ ଲୋପ ହେବାକୁ ଯାଉଛି। ଏବେ ଓଡିଶାରେ ଅନେକ ହାଇସ୍କୁଲ ରହିଛି ଯେଉଁଠି ଛାତ୍ରଛାତ୍ରୀ ସଂସ୍କୃତ ବିଷୟ ପ୍ରତି ରୁଚି ଦେଖାଉ ନଥିବାରୁ ସେହି ବିଦ୍ୟାଳୟ ଗୁଡିକରେ ସଂସ୍କୃତ ବିଷୟ ହିଁ ପଢା ହେଉନି। ଅନେକ ବିଦ୍ୟାଳୟ ଗୁଡିକରେ ତ ସଂସ୍କୃତ ଶିକ୍ଷକ ହିଁ ନାହାନ୍ତି। ଏହି ବିଷୟକୁ ନେଇ ଅତିଥି ମାନେ କ୍ଷୋଭ ବ୍ୟକ୍ତ କରିବା ସହ ସଂସ୍କୃତ ଭାଷା ମହାନ ଭାଷା। ଏହାର ସୁରକ୍ଷା ଓ ବହୁଳ ପ୍ରଚାର ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ପ୍ରଥମେ ଅତିଥିଙ୍କ ଦେବ ପୂଜନ ପରେ ଅତିଥି ମାନଙ୍କୁ ଉପଢୌକନ ଦେଇ ଜିଲ୍ଲା ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ସଭାପତି ଶ୍ରୀ ବରାଡ ସ୍ୱାଗତ ଭାଷଣ ସହ ଅତିଥି ପରିଚତ ପ୍ରଦାନ କରିଥିଲେ। ଶିକ୍ଷକ ଦେବୀ ପ୍ରସାଦ ଆଚାରୀ ଓ ନୃସିଂହ ଦଳେଇ ମଙ୍ଗଳାଚରଣ ଗାନ କରିଥିଲେ।ସମ୍ପାଦକ ପଦ୍ମଲୋଚନ ଶତପଥି ବିବରଣୀ ପଠନ କରିଥିଲେ। ଅନନ୍ତ ଥାଟି, ସାରଦା ପ୍ରସାଦ ମହାନ୍ତି, ଯୋଗେଶ ଚନ୍ଦ୍ର ଛତ୍ରୀଆ ଓ ବିଜୟାଲକ୍ଷ୍ମୀ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଗତ ୨୦୨୫/୨୬ ରେ ୧୦ମ ବୋର୍ଡ ପରୀକ୍ଷାରେ ସଂସ୍କୃତ ବିଷୟରେ ଶତ ପ୍ରତିଶତ ନମ୍ବର ରଖିଥିବା ଓ ଜିଲ୍ଲାରେ ଟପ୍ପର ହୋଇଥିବା ଭବାନୀପାଟଣା ଗଣନାଥପୁର ସରକାରୀ ହାଇସ୍କୁଲର ଛାତ୍ରୀ ସ୍ୱାତୀ ମହାଖୁଡ ଓ ଜୟପାଟଣା ବ୍ଲକ ସର୍ଗିଗୁଡାର ସରକାରୀ ହାଇସ୍କୁଲର ଛାତ୍ରୀ ମୁକ୍ତା ନାଏକଙ୍କୁ ମାନପତ୍ର, ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଇତ୍ୟବସରରେ ଅନୁଷ୍ଠିତ ବକ୍ତୃତା, ଅଷ୍ଟାଦଶ ଶ୍ଲୋକୀ ଗୀତାପାଠ, ସଂସ୍କୃତ ସଙ୍ଗୀତ ପ୍ରଭୃତି ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ଶାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ସାରଦା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।





