୧୯୬୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନଠାରେ ଏକ ଜନ ସମାବେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ପ୍ରଥମ ଥର ପାଇଁ ‘ଜୟ ଯବାନ ଜୟ କିସାନ’ ସ୍ଲୋଗାନ ଦେଇଥିଲେ । ୯ ଜୁନ୍ ୧୯୬୪ ରେ ଲାଲ ବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ଏହି ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଦେଶରେ ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖାଦେଇଥିଲା । ତେଣୁ ଭାରତକୁ ଖାଦ୍ୟ ଶସ୍ୟ ଆମଦାନୀ କରିବା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ଲାଲବାହାଦୁର ଶାସ୍ତ୍ରୀ ‘ଜୟ ଯବାନ ଜୟ କିସାନ’ ସ୍ଲୋଗାନଦ୍ୱାରା ଦେଶକୁ ରକ୍ଷା କରିବା ପାଇଁ ସୈନିକମାନଙ୍କୁ ଆହ୍ୱାନ ଦେବା ସହ ଭାରତର ଖାଦ୍ୟ ଶସ୍ୟ ଆମଦାନୀର ମାତ୍ରାକୁ କମ୍ କରିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ । ସେ ସମୟରେ ଏହା ଏକ ଖୁବ୍ ଲୋକପ୍ରିୟ ସ୍ଲୋଗାନରେ ପରିଣତ ହୋଇଥିଲା । ଭାରତର ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଦର୍ଶାଇ ଶାସ୍ତ୍ରୀ ୧୯୬୫ ମସିହାରେ ଭାରତରେ ସବୁଜ ବିପ୍ଳବକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ।





