ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ‘ଅହିଂସା ସ୍ଥଳ’ରେ ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଅହିଂସା ଓ ଶାନ୍ତିର ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ପି.ଜି. କାଉନସିଲ୍ ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ର ସଂଘ ସଦସ୍ୟ ଏବଂ ବହୁ ସଂଖ୍ୟାରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ସମସ୍ତେ ଶାନ୍ତି ଓ ଅହିଂସାର ଶପଥ ଗ୍ରହଣ କରିବା ସହିତ କ୍ୟାମ୍ପସରେ ଏକ ସ୍ୱଚ୍ଛତା ଅଭିଯାନ ଓ ‘ନିଶାମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।






