ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର୍ଥୀ ଛାତ୍ର ଛାତ୍ରୀଙ୍କୁ ମାତ୍ର ଘଣ୍ଟାଏ ଆଗରୁ ଏଡମିଟ କାର୍ଡ ଦେଇ ହରଡ ଘଣାରେ ପଲସାପଡା ପ୍ରଧାନ ଶିକ୍ଷକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭୀମକେଲା ଗ୍ରାମ ପଞ୍ଚାୟତର ପଲସାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ମାଝୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର୍ଥୀ ଛାତ୍ରୀ ଅଂଶିକା ସାହୁ, ତୃପ୍ତି ବାଗ, ତେଜସ୍ଵୀନି ସୁନାଙ୍କୁ ଶନିବାର ସକାଳ ୯ ଘଣ୍ଟା ସମୟରେ ଏଡମିଟ କାର୍ଡ ପ୍ରଦାନ କରି ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସର୍ଗିଗୁଡା ୟୁପି ସ୍କୁଲ ସେଣ୍ଟରରେ ପରୀକ୍ଷା ରହିଥିବା କହିଥିଲେ। ସକାଳ ୮ ଟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ପରୀକ୍ଷା ରହିଥିବା କଥା ଜାଣି ନଥିଲେ। ଅଭିଭାବକ ମାନଙ୍କ କହିବା କଥା ଯେତେବେଳେ ବିଦ୍ୟାଳୟ ତରଫରୁ ବୃତ୍ତି ପରୀକ୍ଷା ପାଇଁ ନାମାଙ୍କନ କରାଯାଇ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସକୁ ନାମ ପ୍ରେରଣ କରାଯାଇଥିଲା। ସେବେଠୁଁ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପରୀକ୍ଷା ଦେବା ବିଷୟରେ ପ୍ରଧାନ ଶିକ୍ଷକ ସୂଚନା ଦେବା କଥା। ତା ମଧ୍ୟ ଯଦି ହେଲା ନାହିଁ ତେବେ ଅନ୍ତତଃ ବୃତ୍ତି ପରୀକ୍ଷାର ତିନି ଚାରି ଦିନ ପୂର୍ବରୁ ଏଡମିଟ କାର୍ଡ ପ୍ରଦାନ କରିବା କଥା। ହେଲେ ପଲସାପଡା ୟୁପିସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ଆଜି ପରୀକ୍ଷା ଦିନ ପରୀକ୍ଷା ୧୦ ଟାରେ ଆରମ୍ଭ ହେବ, ୯ ଟା ବେଳେ ଛାତ୍ରୀ ଅଂଶିକା ଓ ଅନ୍ୟ ୨ ଜଣଙ୍କୁ ଏଡମିଟ କାର୍ଡ ଦେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଟଙ୍କଧର ସାହୁ। କେବଳ ଅଂଶିକା ଜଣେ ମାତ୍ର ଛାତ୍ରୀ ନୁହନ୍ତି । ଉକ୍ତ ବିଦ୍ୟାଳୟର ବିକ୍ରମ ଚନ୍ଦନଙ୍କ ଝିଅ ତୃପ୍ତି ଓ ଜଗଦିଶ ସୁନାଙ୍କ ଝିଅ ତେଜସ୍ୱିନୀଙ୍କୁ ମଧ୍ୟ ସକାଳ ୯ ଘଣ୍ଟା ସମୟରେ ପ୍ରଧାନ ଶିକ୍ଷକ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ଏଡମିଟ କାର୍ଡ ପ୍ରଧାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଉକ୍ତ ଛାତ୍ରୀ ମାନେ ଜାଣି ନଥିଲେ ଯେ ସେମାନେ ବୃତ୍ତି ପରୀକ୍ଷା ଦେବେ ବୋଲି। ପ୍ରଧାନ ଶିକ୍ଷକ ଶ୍ରୀ ମାଝୀଙ୍କ ଅବହେଳା ଯୋଗୁଁ ବିନା ପ୍ରସ୍ତୁତିରେ ଯାହି ତାହି ଭାବରେ ବୃତ୍ତି ପରୀକ୍ଷା ଦେଲେ ଛାତ୍ରୀ ମାନେ। ଏନେଇ ପଲସାପଡା ସ୍କୁଲର ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ମାଝୀଙ୍କ ଅବହେଲା ଯୋଗୁଁ ଛାତ୍ରୀମାନେ ଉତ୍ତମ ଭାବରେ ବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ ନର୍ଲା ବ୍ଲକ ସହ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀଙ୍କୁ ପ୍ରଦାନ କରିଛନ୍ତି। ନର୍ଲା ବ୍ଲକ ସହ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ମତାମତ ନେବାରୁ ସେ କହିଛନ୍ତି, ଆମେ ୫ ଦିନ ଆଗରୁ ଏଡମିଟ କାର୍ଡ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ପଠେଇ ଦେଇଛୁ। ପ୍ରଧାନ ଶିକ୍ଷକ କାହିଁକି ଦେଇ ନାହାନ୍ତି ତାହା ତଦନ୍ତ କଲେ ଜଣାପଡିବ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଆଜି ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଏଥିରେ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଗୁଡିକର ପଞ୍ଚମ ଶେଣୀର ୧୯୧ ଛାତ୍ରଙ୍କ ନାମ ତାଲିକା ଭୁକ୍ତ ରହିଥିବା ବେଳେ ୮୨ ଜଣ ଅନୁପସ୍ଥିତ ରହି ୧୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିଭଳି ସର୍ଗିଗୁଡା ୟୁପି ସ୍କୁଲରେ ତୃତୀୟ ଶେଣୀ ଛାତ୍ରଡଛାତ୍ରୀଙ୍କ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା କଥା ହେଲେ ୫୩ ଜଣ ଅନୁପସ୍ଥିତ ରହି ୧୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପଲସାପଡା ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବିଷୟରେ ମଧ୍ୟ ଏତେଟା ଦାଇତ୍ୱହୀନ ହେବା ପ୍ରସଙ୍ଗକୁ ସାଧାରଣରେ ସମାଲୋଚନା କରାଯାଇଛି। ଏବିଷୟରେ ପଲସାପଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମାଝୀଙ୍କୁ ଫୋନ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.