ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ, କୋରାପୁଟରେ ତେଜିଲା ରାଜନୀତି

ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ; ଜିଲ୍ଲାବ୍ୟାପୀ ବନ୍ଦ ପାଇଁ ଇଣ୍ଡିଆ ବ୍ଲକ୍‌ର ଆହ୍ୱାନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା। ଏହାକୁ ନେଇ କୋରାପୁଟ ଜିଲ୍ଲାରେ ମଧ୍ୟ ରାଜନୈତିକ ତତ୍ପରତା ବଢ଼ିଛି। ସମଗ୍ର କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ ପାଇଁ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ରୂପକ ତୁରୁକଙ୍କ ଆହ୍ୱାନକ୍ରମେ ଜୟପୁରସ୍ଥିତ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଡାକ୍ତର ରୂପକ ତୁରୁକ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବନ୍ଦର କାରଣ ଓ ଦାବି ସମ୍ପର୍କରେ ସୂଚନା ଦେଇଥିଲେ। ଇଣ୍ଡିଆ ବ୍ଲକ୍‌ ପକ୍ଷରୁ କୁହାଯାଇଛି ଯେ, ଏମଏମଡିଆର ସଂଶୋଧନ ଆଇନ, ୨୦୨୬ର ପ୍ରତ୍ୟାହାର, ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଏବଂ ଆର୍ଥିକ ସ୍ୱାୟତ୍ତତାର ସୁରକ୍ଷା ଭଳି ବିଭିନ୍ନ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହାସହ ନିର୍ବାଚନ ପ୍ରକ୍ରିୟା ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଦଳ ପକ୍ଷରୁ ଉଠାଯାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା, ନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲା ଖଣିଜ ସମ୍ପଦରେ ସମୃଦ୍ଧ ହୋଇଥିବାରୁ ଏମଏମଡିଆର ଆଇନ ସଂଶୋଧନକୁ ନେଇ ଏଠାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାବାସୀ, ବ୍ୟବସାୟୀ, ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି ଇଣ୍ଡିଆ ବ୍ଲକ୍‌। ଅନ୍ୟପକ୍ଷରେ, ଅକ୍ଟୋବର ୮ର ବନ୍ଦକୁ ନେଇ ଜିଲ୍ଲାରେ ଯାତାୟାତ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜୀବନ ଉପରେ କି ପ୍ରଭାବ ପଡ଼ିବ, ତାହା ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.