ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକା ଅଧୀନ ଗୋଶାଳାପଦା ସହରାଞ୍ଚଳ ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ଗଣ ସଫେଇ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଶପଥ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ୟୁନିସେଫ୍, ୟୁଥ୍ ଫର୍ ୱାଟର୍ ପ୍ଲସ୍ ଓ ‘ମେ ଆଇ ହେଲ୍ପ ୟୁ’ର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। ସ୍ଥାନୀୟ କାଉନସିଲର ଶଶିରେଖା ମହାନ୍ତି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ଅଞ୍ଚଳକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା, ଏଣେତେଣେ ଅଳିଆ ଆବର୍ଜନା ନ ପକାଇବା ସହ ସ୍ୱଚ୍ଛତା ପ୍ରତି ସାଧାରଣ ଲୋକଙ୍କୁ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଗଣ ସଫେଇ ଅଭିଯାନରେ ସ୍ଥାନୀୟ ମହିଳା, ଯୁବକ-ଯୁବତୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ସମସ୍ତେ ମିଳି ଅଞ୍ଚଳର ବିଭିନ୍ନ ସ୍ଥାନ ସଫେଇ କରିବା ସହ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଅଞ୍ଚଳର ସ୍ୱଚ୍ଛତା ରକ୍ଷାରେ ନିୟୋଜିତ ସାନିଟାରୀ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ନିଷ୍ଠାପୂର୍ଣ୍ଣ ସେବା, ନିରନ୍ତର ପରିଶ୍ରମ ଓ ସ୍ୱଚ୍ଛ ପରିବେଶ ଗଠନରେ ଅବଦାନକୁ ଆୟୋଜକମାନେ ପ୍ରଶଂସା କରିଥିଲେ। ସ୍ୱଚ୍ଛତା କେବଳ ପ୍ରଶାସନ କିମ୍ବା ସଫେଇ କର୍ମଚାରୀଙ୍କ ଦାୟିତ୍ୱ ନୁହେଁ, ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।





