ନର୍ଲାରେ ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦ ପାଳନ ସଫଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ସଫଳ ହୋଇଛି ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ। କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନୀରଜ ଶର୍ମା, ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର, ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ତଥା ନର୍ଲା ଏନଏସି ଇନଚାର୍ଜ କୁମୁଦ ଚନ୍ଦ୍ର ନାଏକ, ସିପିଆଇଏମର ଜିଲ୍ଲା କମିଟି ସଦସ୍ୟ ନରସିଂହ ଥପାଙ୍କ ନେତୃତ୍ୱରେ ଆଜି ସକାଳ ୬ ଘଣ୍ଟାରୁ ଇଣ୍ଡିଆ ମେଣ୍ଟର କର୍ମୀ ମାନେ ନର୍ଲା, ବାଲିପଡା, ଶେରଗଡ, ଛତିକୁଡ଼ା, ରୁପ୍ରାରୋଡ ପ୍ରଭୃତି ସ୍ଥାନକୁ ଯାଇ ଦୋକାନ ବଜାର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ତହସିଲ ଅଫିସ, ବ୍ଲକ ଅଫିସ ପ୍ରଭୃତି ବନ୍ଦ କରିଥିଲେ। ଅନେକ କର୍ମୀ ନର୍ଲା ବସଷ୍ଟାଣ୍ଡ, ଚାରିଛକ, ବ୍ଲକ ଛକ ଛତିକୁଡ଼ା ଛକରେ ସମବେତ ହୋଇ ଟ୍ରକ, ବସ ସାଙ୍ଗକୁ ବିଭିନ୍ନ ଯାନ ବାହାନ ଅଟକ ରଖିଥିଲେ। କର୍ମୀମାନେ ଦଳୀୟ ପତାକା ଓ ବ୍ୟାନର ହାତରେ ଧରି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ନାରାବାଜି କରିଥିଲେ। ବିଶେଷ କରି କେନ୍ଦ୍ର ସରକାରଙ୍କ ଏମଏମଡିଆର ସଂଶୋଧନ ବିଲକୁ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବୀ କରି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ନର୍ଲା, ଛତିକୁଡ଼ା ଛକରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଖଚକ ଜାମ ହୋଇ ପଡି ରହିଥିଲା। ନର୍ଲାର ତିନିଗୋଟି ପେଟ୍ରୋଲ ପମ୍ପ ଗୁଡ଼ିକ ସହ ସ୍କୁଲ କଲେଜ ସବୁ ବନ୍ଦ ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ଶର୍ମାଙ୍କ କହିବା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବରେ ନର୍ଲାରେ ବନ୍ଦ ପାଳିତ ହୋଇଥିଲା। ବନ୍ଦ୍ ର ପ୍ରଭାବରେ ରାସ୍ତାଘାଟ ସବୁ ସୁନସାନ ହୋଇ ପଡ଼ିଥିଲା। ନର୍ଲା ଅଞ୍ଚଳବାସୀ ଏହି ବନ୍ଦ ପାଳନକୁ ଆନ୍ତରିକତାର ସହ ସମର୍ଥନ କରି ଥିବାରୁ ଇଣ୍ଡିଆ ମେଣ୍ଟ ତରଫରୁ ନର୍ଲା ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ନୀରଜ ଶର୍ମା ଓ ଯୁବ କଂଗ୍ରସର ସଭାପତି ଦୀପୁ ପାତ୍ର। ଏହି ବନ୍ଦ ପାଳନରେ ଇଣ୍ଡିଆ ମେଣ୍ଟର ସଦସ୍ୟ କଂଗ୍ରେସର ଯୁବ ନେତା କମଲ ତାଣ୍ଡି, ପିଣ୍ଟୁ ନାଗ, ଗଣପତି ପରଭୋଇ, ଅଲେଖ ସେନାପତି, ବରିଷ୍ଠ ସଦସ୍ୟ ରିଚେକର ଦୀପ, ନର୍ଲା ଅଟୋ ଚାଳକ ସଂଘର ସଭାପତି ନବଘନ ଭୋଇ, ସମ୍ପାଦକ ଶଙ୍କର ସାହୁ, ସିପିଆଇଏମର ନର୍ଲା ସମ୍ପାଦକ ନବ କିଶୋର ସାହୁ, ଜିଲ୍ଲା କମିଟି ସଦସ୍ୟ ଦେବରାଜ ମାଝୀ, ଯୋଗେଶ୍ୱର ସାହୁ, ସୁଜ୍ଞାନି ବାଗ, ଦୁର୍ଯ୍ୟୋଧନ ସା ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ସକ୍ରିୟ ଅଂଶ ଗ୍ରହଣ କରି ଗାଡି ମୋଟର ଅଟକାଇବାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.