ଓଡ଼ିଆ ବାର୍ତ୍ତା/ ଜୁନାଗଡ଼/ ଭବାନୀପାଟଣା (ସ୍ବାସ୍ତିଦୀପ ଆଦିତ୍ୟ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣିଥରେ କ୍ୟାମ୍ପସ ରାଜନୀତିକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ। ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ସାହ ଓ ଉତ୍ତେଜନା ବଢ଼ିଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ତିନୋଟି ପ୍ରମୁଖ ଛାତ୍ର ସଂଗଠନର ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଯାଞ୍ଚ ପରେ ନିର୍ବାଚନୀ ପ୍ରଚାର ଜୋରଦାର ହେବାକୁ ଥିବାରୁ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ଆହୁରି ବଢ଼ିବା ଆଶା କରାଯାଉଛି। ଅନ୍ୟପକ୍ଷରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ୧୫ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଦୀର୍ଘ ବର୍ଷ ପରେ ହେଉଥିବା ଏହି ନିର୍ବାଚନରେ କାହା ମୁଣ୍ଡରେ ବିଜୟ ମୁକୁଟ ବନ୍ଧା ହେବ, ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି।





