ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଠାରୁ ଧର୍ମଗଡ଼ ଦେଇ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରିଛି ବିଜୁ ଏକ୍ସପ୍ରେସୱେ। ଏହି ପ୍ରମୁଖ ରାସ୍ତାର ଆମପାଣି ଠାରୁ ଧର୍ମଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସହିତ ଗର୍ତ୍ତ ଗୁଡ଼ିକ ସୃଷ୍ଟି ହୋଇଛି। ଯାହା ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେବା ବହୁ ଆଶଂକା ରହିଛି। ଏହି ରାସ୍ତାରେ ସର୍ବଦା ଭାରିଯାନ ସହିତ ବିଭିନ୍ନ ଗାଡ଼ି ମୋଟର ଚଳାଚଳ କରିଥାଏ। ତେବେ ରାସ୍ତାର ଅନେକ ପୋଳ ନିକଟରେ ପିଚୁ ଗୁଡ଼ିକ ଉଠି ଯାଇଥିବା ବେଳେ ଦୃତଗାମୀ ଗାଡ଼ି ଗୁଡ଼ିକ ସେସବୁ ଦେଖିବା ସମ୍ଭବ ହେଉନାହିଁ। ଯାହା ଫଳରେ ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଏହି ରାସ୍ତାରେ ଘଟୁଥିବା ନଜିର ରହିଛି। ଅନ୍ୟପଟେ ପୁର୍ତ୍ତ ବିଭାଗ ପକ୍ଷରୁ ଏହା ଉପରେ ଧ୍ୟାନ ଦେଉ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ କିଛିଦିନ ତଳେ ଏହି ରାସ୍ତାର ଏକ ବିରାଟ ଗର୍ତ୍ତରେ ପାଣି ଜମି ରହିଥିବାରୁ ଏକ କାର ଫସି ରହିଥିବା ମଧ୍ୟ ଖବର ରହିଛି। ଏପରି ସ୍ଥଳେ ସମ୍ପୃକ୍ତ ବିଭାଗ ଗୁରୁତର ଭାବରେ ନେଉଥିବାରୁ ଗାଡ଼ି ଚାଲକ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ତେଣୁ ଆମପାଣି ଠାରୁ ଧର୍ମଗଡ଼ ପର୍ଯ୍ୟନ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଗାତ ଓ ପିଚୁ ଉଠିଥିବା ସ୍ଥାନକୁ ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି।





