ଡାଲଗୁମାରେ ମହିଳାଙ୍କ ମଦ ବିରୋଧୀ ରାଲି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରେ ବିକ୍ରୀ ହେଉଥିବା ବେଆଇନ ମଦ କାରବାର ବନ୍ଦ ଦାବିରେ କୋକସରା ଥାନାରେ ଅଭିଯୋଗ କରିଥିଲେ। ଶନିବାର ମହିଳା ମାନେ ପୁଣିଥରେ ଏକଜୁଟ ହୋଇ ମଦ ବିରୋଧୀ ଆନ୍ଦୋଳନ ଦେବା ସହ ଗାଁ କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ନେଇ ନଗର ପରିକ୍ରମା କରିଛନ୍ତି। ଏବଂ ବେଆଇନ ମଦ କାରବାର କରୁଥିବା ବେପାରୀ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତେବେ ମହିଳା ମାନଙ୍କ ଏଭଲି ଆନ୍ଦୋଳନ ଦେଖି ବେଆଇନ ମଦ ବିକ୍ରି କରୁଥିବା ବେପାରୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଅଭିଯୋଗ ଅନୁସାରେ, ଡାଲଗୁମା ଗ୍ରାମରେ ଦୀର୍ଘ ଦିନରୁ ବେଆଇନ ଭାବରେ ମଦ ବିକ୍ରି ହୋଇଆସୁଛି। ଯାହାଫଳରେ ଗ୍ରାମର ସାମାଜିକ ପରିବେଶ ଦିନକୁ ଦିନ ଅଧିକ ଅବକ୍ଷୟ ଆଡ଼କୁ ଗତି କରୁଛି। ମଦ୍ୟପାନ ଯୋଗୁଁ ଗାଁରେ ଅଶାନ୍ତି, ପାରିବାରିକ କଳହ ଏବଂ ଗଣ୍ଡଗୋଳ ବୃଦ୍ଧି ପାଉଛି। ଏହାର କୁପ୍ରଭାବ ସିଧାସଳଖ ଯୁବପିଢ଼ୀଙ୍କ ଉପରେ ପଡୁଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ବିଶେଷ କରି ମହିଳା, ବରିଷ୍ଠ ନାଗରିକ ଏବଂ ଶିଶୁମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମଦମୁକ୍ତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିବା ମହିଳା ମାନେ ପ୍ରକାଶ କରିଛନ୍ତି। ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ ଓ ଅବକାରୀ ବିଭାଗକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.