କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ତାରା, ଲିଙ୍ଗଡୋ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରାର୍ଥିପତ୍ର ନାକଚ ଦାବି କଲା ବିଜେପି
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଛାତ୍ର ସଂସଦ ନିର୍ବାଚନକୁ ନେଇ ଜୟପୁରରେ ରାଜନୈତିକ ତତ୍ପରତା ବଢ଼ିଛି। ବିକ୍ରମଦେବ ବିଶ୍ୱବିଦ୍ୟାଳୟର କିଛି ପ୍ରାର୍ଥୀଙ୍କୁ ବିଧାୟକ ତାରା ପ୍ରସାଦ ବାହିନୀପତି ସମର୍ଥନ ଜଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛି ବିଜେପି। ଛାତ୍ର ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ ଓ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗ ଆଣି ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ପାଇଁ ଦାବି କରିଛି ଦଳ। ଏହାକୁ ନେଇ ଛାତ୍ର ରାଜନୀତିରେ ଦୁଇ ଦଳ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ଜୟପୁରସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ତାରା ପ୍ରସାଦ ବାହିନୀପତି ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥୀ ରିଷଭ ସାଗରିଆ, ଉପସଭାପତି ପ୍ରାର୍ଥୀ ବିଶ୍ୱରଞ୍ଜନ ବେନିଆ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଶ୍ରୀକାନ୍ତ ଚୌଧୁରୀ ଓ ଡ୍ରାମାଟିକ୍ ସେକ୍ରେଟାରୀ ପ୍ରାର୍ଥୀ ଯୁବରାଜ ସିଂହଙ୍କ ସପକ୍ଷରେ ମତ ରଖିଥିଲେ। ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ନିଯୁକ୍ତି କ୍ଷେତ୍ରରେ କୋରାପୁଟ ଜିଲ୍ଲାର ଯୋଗ୍ୟ ଯୁବକଯୁବତୀଙ୍କୁ ଅବହେଳା କରାଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ବିଧାୟକଙ୍କ ଏହି ପଦକ୍ଷେପକୁ ନେଇ ବିଜେପି ପ୍ରତିବାଦ କରିଛି। ଜୟପୁର ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତା ଗୌତମ ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଜଣେ ବିଧାୟକ ନିଜ ବାସଭବନରେ ଉପସ୍ଥାପନ କରି ସମର୍ଥନ ଘୋଷଣା କରିବା ଏବଂ ଭୋଟ୍ ପାଇଁ ଆହ୍ୱାନ ଦେବା ଲିଙ୍ଗଡୋ କମିଶନଙ୍କ ନିୟମର ପରିପନ୍ଥୀ। ଏହାଦ୍ୱାରା ନିର୍ବାଚନ ନିୟମର ଉଲ୍ଲଂଘନ ହୋଇଥାଇପାରେ ବୋଲି ଦଳ ଦର୍ଶାଇଛି। କେବଳ ଅଭିଯୋଗରେ ସୀମିତ ନରହି ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ କରିବାକୁ ମଧ୍ୟ ବିଜେପି ଦାବି କରିଛି। ତେବେ ଏହି ଅଭିଯୋଗ ଉପରେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ନିଷ୍ପତ୍ତିର ସୂଚନା ମିଳିନାହିଁ। ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ନେତାଙ୍କ ସମର୍ଥନ ଓ ନିର୍ବାଚନ ନିୟମ ପାଳନକୁ ନେଇ ଉଠିଥିବା ପ୍ରଶ୍ନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଅଭିଯୋଗର ତଥ୍ୟାଧାରିତ ଯାଞ୍ଚ ଏବଂ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ହିଁ ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ କରିବ।





