•ଆକର୍ଷଣୀୟ ତୋରଣ ଓ ମନମୋହକ ସାଜସଜ୍ଜାରେ ଝଲସିବ ସହର
•ଆଜିମାବାଦରେ ସୁବର୍ଣ୍ଣ ଜୟନ୍ତୀ ଆକର୍ଷଣ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ୱର ସହର। ଆସନ୍ତା ଶାରଦୀୟ ଦୁର୍ଗାପୂଜା ପାଇଁ ସହରର ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଆକର୍ଷଣୀୟ ତୋରଣ, ମନମୋହକ ସାଜସଜ୍ଜା ଓ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର। ପାର୍ବଣକୁ ସ୍ୱାଗତ କରିବା ପାଇଁ ବଜାରରେ ମଧ୍ୟ ଉତ୍ସାହ ବଢ଼ିଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଆକର୍ଷଣୀୟ ରିହାତି ଓ ଅଫର୍ ଦିଆଯାଉଥିବାରୁ ସହରରେ ପାର୍ବଣର ମାହୋଲ ସୃଷ୍ଟି ହୋଇଛି।
ଚଳିତ ବର୍ଷ ବାଲେଶ୍ୱର ସହରର ମୋଟ ୭୮ଟି ପୂଜା ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ। ଗତବର୍ଷ ୭୭ଟି ମଣ୍ଡପରେ ପୂଜା ହୋଇଥିବା ବେଳେ ଏଥର ଆଉ ଗୋଟିଏ ମଣ୍ଡପ ବୃଦ୍ଧି ପାଇଛି। ସମସ୍ତ ୭୮ଟି ମଣ୍ଡପକୁ ପୂଜା ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଅନାପତ୍ତି ପ୍ରମାଣପତ୍ର (ଏନ୍ଓସି) ପ୍ରଦାନ କରାଯାଇଛି।

ଭିନ୍ନ ଶୈଳୀର ତୋରଣ ସାଜିବ ଆକର୍ଷଣ
ଏଥର ସହରର ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ଶୈଳୀର ତୋରଣ ଓ ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରିବ। ଝାଡ଼େଶ୍ୱର ପୂଜା କମିଟି ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାପତ୍ୟ ଶୈଳୀରେ ତୋରଣ ନିର୍ମାଣ କରାଯିବାର ଯୋଜନା ରହିଛି। ସେହିପରି ମାକଲପୁର ପୂଜା ମଣ୍ଡପରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପାନକାଠିରେ ତୋରଣ ନିର୍ମାଣ କରି ପାରମ୍ପରିକ କଳାକୁ ପ୍ରଦର୍ଶିତ କରିବାର ଯୋଜନା ରହିଛି। ନୂଆବଜାର, ଚାଉଳିଆସାହି ଓ ଦାମୋଦରପୁର ସମେତ ଅନ୍ୟ ପୂଜା କମିଟିଗୁଡ଼ିକ ମଧ୍ୟ ମଣ୍ଡପ ନିର୍ମାଣ ଓ ସାଜସଜ୍ଜାକୁ ଗୁରୁତ୍ୱ ଦେଉଛନ୍ତି।
ଆଜିମାବାଦରେ ୫୦ତମ ବର୍ଷର ଭବ୍ୟ ଆୟୋଜନ
ଚଳିତ ବର୍ଷ ଆଜିମାବାଦ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ପାର୍ବଣର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ। ଏଠାରେ ପ୍ରାୟ ୩୦ ଫୁଟ ଉଚ୍ଚତାର ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରାଯାଉଥିବା ବେଳେ ପ୍ରାୟ ୬୦ ଫୁଟ ଉଚ୍ଚତାର ନବଦ୍ୱୀପସ୍ଥିତ ଇସ୍କନ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏଥିସହ ଅନ୍ୟ ଏକ ୧୨ ଫୁଟ ଉଚ୍ଚତାର ମା’ଙ୍କ ମୂର୍ତ୍ତି ସହ ଭଗବାନ ବିଷ୍ଣୁଙ୍କ ଦଶାବତାରର ମୂର୍ତ୍ତି ମଧ୍ୟ ନିର୍ମାଣ କରାଯିବ। ଏହି ଆକର୍ଷଣୀୟ ସାଜସଜ୍ଜା ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ମନ ମୋହିବ ବୋଲି ଆଶା କରାଯାଉଛି।

ଶତାବ୍ଦୀ ପୁରୁଣା ପରମ୍ପରାର ବାହକ ପୂଜା ମଣ୍ଡପ
ବାଲେଶ୍ୱର ସହରର ଦୁର୍ଗାପୂଜାର ଅନ୍ୟତମ ବିଶେଷତ୍ୱ ହେଉଛି ଏହାର ଦୀର୍ଘ ପରମ୍ପରା। ସହରରେ ୧୪ରୁ ଅଧିକ ପୁରାତନ ପୂଜା ମେଢ଼ ରହିଛି। ସେଥିମଧ୍ୟରୁ ଦୁଇଟି ମେଢ଼ର ପରମ୍ପରା ଶହେ ବର୍ଷରୁ ଅଧିକ ପୁରୁଣା। ତିନୋଟି ମେଢ଼ ୭୫ ବର୍ଷରୁ ଅଧିକ ଏବଂ ନଅଟି ମେଢ଼ ୫୦ ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡ଼ିଛି।
ରେଳଷ୍ଟେସନ ସାର୍ବଜନୀନ ପୂଜା, ମାରୱାଡ଼ିପଟି ଆଶ୍ରମ ପୂଜା, ନୂଆବଜାର ବ୍ୟବସାୟୀ ମହାସଂଘ ପୂଜା, ସିନେମାଛକ ପୂଜା, ସୁନହଟ କନକଦୁର୍ଗା ପୂଜା, ଭାସ୍କରଗଞ୍ଜ, ଷ୍ଟେସନ ଛକ, କଚେରି ଗେଟ୍, ନୂଆବଜାର ସାରଥୀ ସଂଘ, ଶୋଭାରାମପୁର, ଫାଶିକ୍ଷକ ତରୁଣ ସମିତି, ଟାଉନ ହଲ୍, କାଳୀମନ୍ଦିର, ବଣିଆ ମନ୍ଦିର ଓ ଆଜିମାବାଦ ପୂଜା ଆଦି ଏହି ଐତିହାସିକ ପରମ୍ପରାର ପରିଚୟ ବହନ କରୁଛନ୍ତି।

୨୨ ତାରିଖରେ ହେବ ମୂର୍ତ୍ତି ବିସର୍ଜନ
ପୂଜା ଆୟୋଜନ ସହ ଶୃଙ୍ଖଳିତ ବିସର୍ଜନ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମଣ୍ଡପଗୁଡ଼ିକ ମଧ୍ୟରୁ ଟାଉନ ଥାନା ଅଧୀନରେ ୩୩ଟି, ସହଦେବଖୁଣ୍ଟା ଥାନା ଅଧୀନରେ ୩୧ଟି, ଶିଳ୍ପାଞ୍ଚଳ ଥାନା ଅଧୀନରେ ୬ଟି ଏବଂ ସଦର ଥାନା ଅଞ୍ଚଳରେ ୮ଟି ମଣ୍ଡପ ରହିଛି। ସମସ୍ତ ୭୮ଟି ମଣ୍ଡପରେ ପୂଜା ସମ୍ପନ୍ନ ହେବା ପରେ ଆସନ୍ତା ୨୨ ତାରିଖରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯିବ। ପାରମ୍ପରିକ ରୀତିନୀତି, ଆଧୁନିକ ସାଜସଜ୍ଜା ଓ ବିବିଧ ସାଂସ୍କୃତିକ ଆକର୍ଷଣର ସମନ୍ୱୟରେ ଚଳିତ ବର୍ଷର ଦୁର୍ଗାପୂଜା ବାଲେଶ୍ୱର ସହରବାସୀଙ୍କ ପାଇଁ ଏକ ସ୍ମରଣୀୟ ଉତ୍ସବ ହେବାକୁ ଯାଉଛି ବୋଲି ଶ୍ରଦ୍ଧାଳୁଙ୍କ ଭିତରେ ଚର୍ଚ୍ଚା ହେଉଛି।





