ବିଶ୍ୱନାଥପୁରରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ଅଞ୍ଚଳରେ ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ସନାତନ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଲାଞ୍ଜିଗଡ଼ ସହରରେ ପ୍ରବେଶ କରି ବେଦାନ୍ତ କାରଖାନା ମୁଖ୍ୟ ଗେଟ୍ ଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ହୋଟେଲ ଓ ନିର୍ମାଣ ସ୍ଥଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବିଶ୍ୱନାଥପୁରର ଗୋଟିଏ ହୋଟେଲରୁ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ଚଢ଼ାଉ ଖବର ପାଇ ଅନେକ ହୋଟେଲ ମାଲିକ ଓ ଦୋକାନୀ ଆଗୁଆ ଶିଶୁ ଶ୍ରମିକଙ୍କୁ ହଟାଇ ଦେଇଥିଲେ। ତେବେ ବିଭାଗ ପକ୍ଷରୁ ବିଭିନ୍ନ ଦୋକାନକୁ ଯାଇ ଶିଶୁ ଶ୍ରମ ବିରୋଧରେ ସଚେତନତା କରାଯାଇଥିଲା। ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜିତ କଲେ ୨ରୁ ୩ ବର୍ଷ ଜେଲ ଦଣ୍ଡ ହେବ ବୋଲି ସୂଚନା ଦିଆଯାଇଥିଲା। ଏହି ଚଢ଼ାଉରେ ଅତିରିକ୍ତ ଶ୍ରମ ଅଧିକାରୀ ଥବିର ପାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମହାପାତ୍ର, ଶିଶୁ ସୁରକ୍ଷା ୟୁନିଟର ଯୋଗେଶ ନିଆଲ, ପ୍ରବୀଣ ବାଗ ଓ ଲାଞ୍ଜିଗଡ଼ ପୁଲିସ ସାମିଲ ଥିଲେ।





