ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଞ୍ଚଳରେ ଦୀର୍ଘଦିନ ଧରି ଜଙ୍ଗଲି ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଗତ ବିଳମ୍ବିତ ରାତି ୨ ଟାରେ ଏକ ୨୫ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗ ଅଧୀନ ଛତ୍ରପୁର ପଞ୍ଚାୟତର ମସ୍କାପଦର ଗାଁର କୋଲୋନୀପଡ଼ାର ଜାମଧର ମାଝୀଙ୍କ ଘର ଭାଙ୍ଗିଥିବା ବେଳେ ଘରେ ଶୋଇଥିବା ୩ ଛାତ୍ରଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ସୂଚନା ମୁତାବକ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନ ଛତ୍ରପୁର ପଞ୍ଚାୟତର ମସ୍କାପଦର ଗାଁର କୋଲୋନୀ ପଡ଼ାରେ ଜାମଧର ମାଝୀ ଓ ତାଙ୍କ ସ୍ତ୍ରୀ ମାମି ମାଝୀ ଆଜିକୁ ପ୍ରାୟ ୬ ମାସ ହେଲା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ଗୋଟିଏ ପୁଅ ପାପୁନ ମାଝୀ ଓ ପାଞ୍ଚ ବର୍ଷର ଝିଅଟିଏ ଅଛି। ପାପୁନ ଓ ତାଙ୍କ ସାନ ଭଉଣୀ ହିଁ ଘରେ ରହୁଛନ୍ତି। ବାପା ମା’ କାମ କରିଯିବା ଦିନଠୁ ସାନ ଭଉଣୀ ରାତିରେ ନିଜ ସମ୍ପର୍କୀୟ ଘରକୁ ଶୋଇବାକୁ ଯାଉଛି। ପାପୁନ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗତ ରାତିରେ ନିଜ ଦୁଇ ସାଙ୍ଗ ସୁଧୀର ମାଝୀ ଓ ଖମେଶ ହରିଜନଙ୍କ ସହ ନିଜ ଘରେ ଶୋଇଥିଲେ। ଗତ ବିଳମ୍ବିତ ରାତି ୨ ଟାରେ ଏକ ୨୫ ଟିକିଆ ହାତୀପଲ ହଠାତ ମସ୍କାପଦର ଗାଁକୁ ଆସି କୋଲୋନୀ ପଡ଼ାରେ ଥିବା ଜାମଧର ମାଝୀଙ୍କ ଘର ଚାରିପଟେ ଘେରି ଯାଇ ଘର ଭାଙ୍ଗିବା ସହ ଭୀଷଣ ଗର୍ଜନ କରିଥିଲେ। ଏହି ସମୟରେ ଘରେ ଶୋଇଥିବା ପାପୁନଙ୍କ ସମେତ ତାଙ୍କ ଦୁଇ ସାଙ୍ଗ ଘର ଭିତରେ ହାତୀ ଭୟରେ ଫସି ରହିଥିଲେ। ଏହା ଜାଣିପାରି ଗ୍ରାମବାସୀମାନେ ଏକତ୍ରିତ ହୋଇ ହାତୀପଲକୁ ଘଉଡାଇବା ବେଳେ ହାତୀପଲ ଘରଠାରୁ ଟିକେ ଦୂର ଯିବା ପରେ ତିନି ଜଣ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ଏହା ପରେ ମସ୍କାପଦର ଗାଁ ମୁଣ୍ଡରେ ଆସି ଭୀଷଣ ଗର୍ଜନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହାତୀପଲକୁ ଘଉଡାଇବା ପରେ ହାତୀପଲ ହାତୀଶାଳ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ଲାଞ୍ଜିଗଡ଼ ଫରେଷ୍ଟର ଧରଣୀଧର ପଣ୍ଡାଙ୍କୁ ପଚାରିବାରୁ ସେ ଆଜି ମସ୍କାପଦର ଗାଁ କୋଲୋନୀ ପଡ଼ାକୁ ଯାଇ ଭାଙ୍ଗିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ହାତୀପଲର ଗତିବିଧି ଉପରେ ନଜର ରଖିବା ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ଖବର ପାଇ ଆଜି ଲାଞ୍ଜିଗଡ଼ ବ୍ଲକ୍ କଂଗ୍ରେସ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଜଗନ୍ନାଥପୁର ସମିତି ସଭ୍ୟ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।





