ବିଶ୍ୱ ସନ୍‌ଡେ ସ୍କୁଲ ଦିବସରେ ମନେ ପଡ଼ିଲେ ସ୍ୱର୍ଗତ ମନୋହର ଦାସ

ସନ୍‌ଡେ ସ୍କୁଲର ବିକାଶ ଓ ବାଇବଲ ଶିକ୍ଷା ପ୍ରସାରରେ ଅବଦାନକୁ ସ୍ମରଣ

ନାଟକ, ପ୍ରତିଯୋଗିତା ଓ ପୁରସ୍କାର ବିତରଣରେ ପାଳିତ ହେଲା ଦିବସ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବିଶ୍ୱ ସନ୍‌ଡେ ସ୍କୁଲ ଦିବସ ଅବସରରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳିର ସହ ମନେ ପଡ଼ିଛନ୍ତି କୋରାପୁଟ-ଜୟପୁର ଏଭାଞ୍ଜେଲିକାଲ ଲୁଥେରାନ ଚର୍ଚ୍ଚ (ଜେ.ଇ.ଏଲ୍‌.ସି.) ସେଣ୍ଟ୍ରାଲର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ସ୍ୱର୍ଗତ ମନୋହର ଦାସ। ସନ୍‌ଡେ ସ୍କୁଲର ବିକାଶ, ସୁପରିଚାଳନା ଓ ଖ୍ରୀଷ୍ଟୀୟ ଶିକ୍ଷାର ପ୍ରସାର ଦିଗରେ ତାଙ୍କର ଦୀର୍ଘବର୍ଷର ଅବଦାନକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା। ସ୍ଥାନୀୟ ଜେ.ଇ.ଏଲ୍‌. ଚର୍ଚ୍ଚ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପରିଚାଳକ ରେଭ. ପାଳକ ଉତ୍ତମ ରଥିନାୟକ ଏବଂ ସମ୍ମାନିତ ଅତିଥି ଭାବେ ଟାଉନ ପାଳକ ଜ୍ୟୋତିର୍ମୟୀ ରାୟ ଯୋଗଦେଇଥିଲେ। ମଣ୍ଡଳୀର ପ୍ରାଚୀନଗଣଙ୍କ ଉପସ୍ଥିତିରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜେ.ଇ.ଏଲ୍‌.ସି. ସେଣ୍ଟ୍ରାଲର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ଭାବେ ସ୍ୱର୍ଗତ ମନୋହର ଦାସ ଦୀର୍ଘବର୍ଷ ଧରି ଦାୟିତ୍ୱ ତୁଲାଇଥିଲେ। ଅନୁଷ୍ଠାନର ୧୬ଟି ପ୍ରଧାନ ମଣ୍ଡଳୀ ଅନ୍ତର୍ଗତ ଗୀର୍ଜାଘରଗୁଡ଼ିକରେ ସନ୍‌ଡେ ସ୍କୁଲର ସୁଚାରୁ ପରିଚାଳନା ପ୍ରତି ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିଲେ। ପିଲାମାନେ ସନ୍‌ଡେ ସ୍କୁଲ ମାଧ୍ୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ, ଶିକ୍ଷା ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଲାଭ କରନ୍ତୁ, ଏହା ଥିଲା ତାଙ୍କର ପ୍ରମୁଖ ଲକ୍ଷ୍ୟ। ତାଙ୍କର ନିଷ୍ଠାପର ଉଦ୍ୟମ ସନ୍‌ଡେ ସ୍କୁଲର ବିକାଶରେ ଏକ ଉଲ୍ଲେଖନୀୟ ଅବଦାନ ଭାବେ ସ୍ମରଣ କରାଯାଇଥିଲା।ଚଳିତ ବର୍ଷ ତାଙ୍କର ଦେହାନ୍ତ ହୋଇଥିବାରୁ ଏଥରର ସନ୍‌ଡେ ସ୍କୁଲ ଦିବସ ତାଙ୍କ ସ୍ମୃତିକୁ ଆହୁରି ଜୀବନ୍ତ କରିଥିଲା। ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ ସନ୍ଧ୍ୟା ର ଆୟୋଜନ ରେ ପୂର୍ବତନ ସନ୍‌ଡେ ସ୍କୁଲ ଛାତ୍ରଛାତ୍ରୀମାନେ ନାଟକ ପରିବେଷଣ କରି ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଜୀବନର ଗୁରୁତ୍ୱ ବୁଝାଇଥିଲେ। ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଫୁଲ ବାଘ ପରିଚାଳନା କରିଥିବା ବେଳେ ସନ୍‌ଡେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ସନ୍‌ଡେ ସ୍କୁଲର ଉନ୍ନତି, ଶିଶୁମାନଙ୍କ ମଧ୍ୟରେ ଖ୍ରୀଷ୍ଟୀୟ ମୂଲ୍ୟବୋଧର ବିକାଶ ଓ ବାଇବଲ ଶିକ୍ଷାର ପ୍ରସାର ପାଇଁ ସ୍ୱର୍ଗତ ମନୋହର ଦାସଙ୍କ ଅବଦାନ ତାଙ୍କୁ ସମସ୍ତଙ୍କ ହୃଦୟରେ ଚିରସ୍ମରଣୀୟ କରି ରଖିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.