ବାଲେଶ୍ୱରରେ ବ୍ରାଉନସୁଗାରର ବଡ଼ ବେପାର ଠାବ; ୧୦ କେଜିରୁ ଅଧିକ ଜବତ

ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ; ଦୁଇ ଗିରଫ, ନଗଦ ୪.୬୨ ଲକ୍ଷ ଟଙ୍କା ସହ ଗାଡ଼ି ଓ ମୋବାଇଲ ଜବତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରରେ ବ୍ରାଉନସୁଗାର କାରବାର ବିରୋଧରେ ପୁଲିସକୁ ମିଳିଛି ବଡ଼ ସଫଳତା। ଗୋପାଳଗାଁ ଅଞ୍ଚଳର ଏକ ଘରେ ଚଢ଼ଉ କରି ପୁଲିସ ୧୦ କେଜି ୨୩୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ନଗଦ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା, ୬ଟି ମୋବାଇଲ ଫୋନ୍‌, ୧୧ଟି ବିଭିନ୍ନ କାର୍ଡ ଓ ପରିଚୟପତ୍ର, ଗୋଟିଏ ମୋଟରସାଇକେଲ, ଗୋଟିଏ ସ୍କୁଟି ଏବଂ ଦୁଇଟି ଇଲେକ୍ଟ୍ରୋନିକ୍ ଓଜନ ମେସିନ୍‌ ଜବତ ହୋଇଛି।ମଙ୍ଗଳବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପରେଶ ରାଉତ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗତ ୧୬ ତାରିଖ ରାତି ୧୧ଟା ୪୯ ମିନିଟ୍‌ରେ ଟାଉନ ଥାନା ଆଇଆଇସିଙ୍କୁ ଏକ ବିଶ୍ୱସନୀୟ ସୂତ୍ରରୁ ବ୍ରାଉନସୁଗାର ଚୋରା କାରବାର ସମ୍ପର୍କରେ ଖବର ମିଳିଥିଲା। ଶହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଗ୍ରାମର ଏସ୍‌.କେ. ଆସଗର ଓ ହମିଦା ବିବି ବିପୁଳ ପରିମାଣର ବ୍ରାଉନସୁଗାର ମହଜୁଦ ରଖି ଏହାର ବିକ୍ରି ଓ ବିତରଣ ପାଇଁ ଯୋଜନା କରୁଥିବା ନେଇ ପୁଲିସ ସୂଚନା ପାଇଥିଲା। ସେମାନେ ବର୍ତ୍ତମାନ ଟାଉନ ଥାନା ଅଧୀନ ଗୋପାଳଗାଁ ଅଞ୍ଚଳରେ ରହୁଥିବା ଜଣାପଡ଼ିବା ପରେ ଟାଉନ ଥାନା ଓ ଶହଦେବଖୁଣ୍ଟା ଥାନାର ମିଳିତ ପୁଲିସ ଟିମ୍‌ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ଉଭୟଙ୍କୁ କାବୁ କରିବା ସହ ଘରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ନିଶାଦ୍ରବ୍ୟ ମଧ୍ୟରୁ ୧ କେଜି ୯୧୩ ଗ୍ରାମ କଞ୍ଚା ଆକାରରେ ଥିବାବେଳେ ୮ କେଜି ୩୨୦ ଗ୍ରାମ ପାଉଡର ଆକାରରେ ଥିଲା। ଏହାର ମୋଟ ପରିମାଣ ୧୦ କେଜି ୨୩୩ ଗ୍ରାମ। ଏହା ବ୍ୟତୀତ ପୁଲିସ ୬ଟି ମୋବାଇଲ ଫୋନ୍‌, ୧୧ଟି ଏଟିଏମ୍‌ କାର୍ଡ, ପାନ୍‌ କାର୍ଡ, ଭୋଟର ପରିଚୟପତ୍ର ଓ ଡ୍ରାଇଭିଂ ଲାଇସେନ୍ସ, ନଗଦ ଟଙ୍କା, ଦୁଇଟି ଦୁଇଚକିଆ ଯାନ ଏବଂ ଦୁଇଟି ଇଲେକ୍ଟ୍ରୋନିକ୍ ଓଜନ ମେସିନ୍‌ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୯୯ ପ୍ରତିଶତ ଶୁଦ୍ଧତା ଉଲ୍ଲେଖ ଥିବା ବ୍ରୁସିନ୍‌ ଆନହାଇଡ୍ରସ୍‌ର ୬ଟି ବୋତଲ ମଧ୍ୟ ରହିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଅରଡ଼ବଜାର ଗ୍ରାମର ଏସ୍‌.କେ. ଜିଆବୁଲଙ୍କ ପୁଅ ଏସ୍‌.କେ. ଆସଗର ଏବଂ ୩୭ ବର୍ଷୀୟା ହମିଦା ବିବି। ଏହି ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

ତେବେ ଏତେ ବିପୁଳ ପରିମାଣର ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏହା କେଉଁ ଅଞ୍ଚଳକୁ ଯୋଗାଣ ହେବାର ଯୋଜନା ଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ। ଜବତ ମୋବାଇଲ ଫୋନ୍‌ର ଡିଜିଟାଲ ତଥ୍ୟ, କଲ୍‌ ଡିଟେଲ୍ସ ଓ ଆର୍ଥିକ କାରବାରର ଯାଞ୍ଚରୁ ଏହି ଚୋରା କାରବାରର ଯୋଗାଣକାରୀ, ମଧ୍ୟସ୍ଥି ଓ ଗ୍ରାହକଙ୍କ ସମ୍ପର୍କରେ ତଥ୍ୟ ମିଳିବା ଆଶା କରାଯାଉଛି। ବାଲେଶ୍ୱରରେ ଏତେ ପରିମାଣର ଧଳାଜହର ଜବତ ଘଟଣା ଜିଲ୍ଲାରେ ନିଶା କାରବାରର ବ୍ୟାପକତା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। କେବଳ ଦୁଇଜଣଙ୍କ ଗିରଫଦାରୀରେ ତଦନ୍ତ ସୀମିତ ନ ରଖି ଏହା ପଛରେ ଥିବା ମୁଖ୍ୟ ଯୋଗାଣକାରୀ, ଅର୍ଥ ନିବେଶକ ଓ ବିତରଣକାରୀଙ୍କୁ ଚିହ୍ନଟ କରିବା ଜରୁରୀ। ବିଶେଷକରି ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ପାଇଁ ଏହି ଚୋରା କାରବାରର ମୂଳ ନେଟୱର୍କକୁ ଠାବ କରିବା ପୁଲିସ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ଗୋପାଳଗାଁରୁ ଆରମ୍ଭ ହୋଇଥିବା ଏହି ତଦନ୍ତ ନିଶା କାରବାରର କେତେ ଦୂର ଚେର ଉନ୍ମୋଚନ କରୁଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.