ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୬ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ଦେବଗିରି ଆଧ୍ୟାତ୍ମ୍ୟ ସମ୍ମାନ’ ପାଇବେ ଅଧ୍ୟାପକ ମୋହନ ଚରଣ ବିଷି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରାର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀ ବିଷି ଜଣେ ସୁସାହିତ୍ୟିକ, ସ୍ତମ୍ଭକାର ଓ ପ୍ରାବନ୍ଧିକ ଭାବେ ସୁପରିଚିତ। ତାଙ୍କର ପ୍ରକାଶିତ ପ୍ରବନ୍ଧ ପୁସ୍ତକଗୁଡ଼ିକ ହେଉଛି ‘ଯେମିତି ଦୃଷ୍ଟି’, ‘ତାରୁଣ୍ୟର ଅଭିଷେକ ଓ ଅନ୍ୟାନ୍ୟ ପ୍ରସଂଗ’ ଏବଂ ‘ମତାନ୍ତର ମନାନ୍ତର’। ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ବାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ସହ ଜଡ଼ିତ ଥିବା ଶ୍ରୀ ବିଷି ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ସଂଘର ମାସିକା ପତ୍ରିକା ‘କାଳୀକୃଷ୍ଣ’ର ପରିଚାଳନା ସଂପାଦକ ଭାବେ କାର୍ଯ୍ୟ କରିଥିବାବେଳେ ୨୦୦୬ ମସିହାରୁ ସାଧାରଣ ସଂପାଦକ ଦାଇତ୍ୱ ନିର୍ବାହ କରି ଆସୁଛନ୍ତି। ଏହାସହ ସେ ବିଭିନ୍ନ ସଂଗଠନ ସହ ଜଡିତ ରହି ସାମାଜିକ ସେବାରେ ବ୍ରତୀ ହୋଇଛନ୍ତି। ସେହିପରି ଭାବେ ୨୦୨୫ ବର୍ଷ ପାଇଁ ସାଧୁ ପ୍ରଭାକର ଦାସଙ୍କୁ ପ୍ରଦାନ କରାଯିବ ମର୍ଯ୍ୟଦାସୂଚକ ‘ଦେବଗିରି ଭକ୍ତି ସମ୍ମାନ’। ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ତଥା ପରବାଙ୍ଗି ମହିମା ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସ ସନାତନ ଧର୍ମଧାରାର ଜଣେ ବିଶିଷ୍ଟ ପ୍ରଚାରକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ସେ ସମାଜରେ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରି ହଜାର ହଜାର ଜନତାଙ୍କୁ ଭକ୍ତି ମାର୍ଗର ପଥିକ କରାଇଛନ୍ତି। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ହିନ୍ଦୁଧର୍ମର ପ୍ରଚାର ପ୍ରସାର ପାଇଁ ବ୍ରତି ରହିଥିବା ସାଧୁ ପ୍ରଭାକର ଦାସ ପଶ୍ଚିମାଞ୍ଚଳର କୋଣ ଅନୁକୋଣରେ ପ୍ରବଚନ ଦେଇ ବିପଥଗାମୀ ମଣିଷମାନଙ୍କୁ ଧର୍ମ ମାର୍ଗରେ ପରିଚାଳିତ କରିବାପାଇଁ ଚେଷ୍ଟିତ ଅଛନ୍ତି। ସେହିଭଳି ଭାବେ ଭାରତୀୟ ଆୟୁର୍ବିଜ୍ଞାନ ପରମ୍ପରାର ଜଣେ ସୁଯୋଗ୍ୟ ଉତ୍ତର ଦାୟାଦ ତଥା ସତ୍ୟ ସନାତନ ମହିମା ଧର୍ମର ପ୍ରଚାର ପ୍ରସାରରେ ବ୍ରତି ବୈଦ୍ୟରାଜ ପବିତ୍ର ଶବରଙ୍କୁ ୨୦୨୬ ବର୍ଷ ପାଇଁ ‘ଦେବଗିରି ଭକ୍ତି ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ଶ୍ରୀ ଶବର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ପାରମ୍ପରିକ ଚେରିମୂଳି ଔଷଧ ମାଧ୍ୟମରେ କର୍କଟ, ବୃକକ, ଯକୃତ, ଗଣ୍ଠିବାତ, ରକ୍ତ ବିକାର ଆଦି ଅନେକ ଦୁଃସାଧ୍ୟ ରୋଗ ସମସ୍ୟାର ସମାଧାନ କରି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ଏଥିସହ ମହିମା ଧର୍ମର ଜଣେ ନିଷ୍ଠାପର ପୃଷ୍ଠପୋଷକ ଭାବେ ସେ ସୁପରିଚିତ। ତାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଛି ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ। ଚୟନିତ ପ୍ରତିଭାମାନଙ୍କୁ ଆସନ୍ତା ନଭେମ୍ବର ୨୨ ରୁ ୨୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଂଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





