ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ଯୁବ କ୍ରୀଡ଼ାବିତ୍ ତଥା ଶିକ୍ଷାବିତ୍ ମିହିର କୁମାର ଭୋଇଙ୍କୁ ମର୍ଯ୍ୟାଦାସମ୍ପନ୍ନ ‘ଦେବଗିରି କ୍ରୀଡ଼ା ସମ୍ମାନ’ ପ୍ରଦାନ କରାଯିବ। ଜଣେ ରାଜ୍ୟସ୍ତରୀୟ ଭଲିବଲ୍ ଖେଳାଳୀ ଭାବରେ ମିହିର ସୁପରିଚିତ। ୧୯୯୫ ମସିହାରେ କଟକ ସୁବ୍ରତ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତାରେ ସେ କଳାହାଣ୍ଡି ଦଳର ଉପ-ଅଧିନାୟକ ଏବଂ ୧୯୯୬ ମସିହାରେ ଅନୁଗୁଳଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦଳର ଅଧିନାୟକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ସହିତ ସେ ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ କଳାହାଣ୍ଡି ଭଲିବଲ୍ ଦଳ ପାଇଁ ଲିବେରୋ ଖେଳାଳୀ ଭାବରେ ଖେଳିଥିଲେ। ବିଭିନ୍ନ ବିଦ୍ୟାଳୟରେ ସେ ଭଲିବଲ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରି ଆଗାମୀ ପିଢ଼ିକୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିଛନ୍ତି। କ୍ରୀଡ଼ା ସମେତ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ତାଙ୍କର ଗଭୀର ରୁଚି ରହିଛି। ସେ ଜଣେ ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଏବଂ ତବଲା ବାଦକ। ଆକାଶବାଣୀ ଭବାନୀପାଟଣାର ଉପସ୍ଥାପକ ଭାବରେ ସେ ଅନେକ କାର୍ଯ୍ୟକ୍ରମ ତିଆରି କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏହାଛଡ଼ା ସେ ଜଣେ ନାଟ୍ୟକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ମଧ୍ୟ ପରିଚିତ। ସଂପ୍ରତି ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟରତ ଶ୍ରୀ ଭୋଇ ଦୀର୍ଘ ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକତା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ନିମିତ୍ତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।





